କଲ୍ୟାଣପୁରରେ ୫୧ ତମ ଗଣେଶ ମହୋତ୍ସବ ଉଦ୍‌ଯାପିତ: ବିରୂପା ନଦୀରେ ପ୍ରଭୁ ଗଜାନନଙ୍କ ବିସର୍ଜନ

ରାଜ୍ୟ
Spread the love

ମାହାଙ୍ଗା  : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁରସ୍ଥିତ ‘ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ୫୧ ତମ ସାର୍ବଜନୀନ ଗଣେଶ ମହୋତ୍ସବ ଧୂମଧାମରେ ଉଦ୍‌ଯାପିତ ହୋଇଯାଇଛି।

ପୂଜା ମଣ୍ଡପରେ ଦୀର୍ଘ ୯ ଦିନ ଧରି ଆୟୋଜିତ ଏହି ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ନାମ ସଂକୀର୍ତ୍ତନ ଏବଂ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ କୃତୀ କଳାକାର ତଥା ପଞ୍ଚାୟତର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଥିବା ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

ମଙ୍ଗଳବାର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟା ଧରି ପ୍ରଭୁ ଗଜାନନଙ୍କ ଭବ୍ୟ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଜା, ବାଣ ଓ ରୋଷଣୀରେ ପୂରା ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ଶହ ଶହ ଶ୍ରଦ୍ଧାଳୁ ନୃତ୍ୟଗୀତର ତାଳେ ତାଳେ ବିରାଟ ବିଗ୍ରହଙ୍କୁ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଇଥିଲେ। ପରେ କଲ୍ୟାଣପୁର ଗାନ୍ଧୀଛକ ବଜାର ଦେଇ ନିକଟସ୍ଥ ବିରୂପା ନଦୀର କୁମୁଡ଼ା ଘାଟରେ ପ୍ରଭୁଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା।

ଏହି ବିସର୍ଜନ ଉତ୍ସବରେ ଯୁଗଜ୍ୟୋତି ସାଂସ୍କୃତିକ ପରିଷଦର କର୍ମକର୍ତ୍ତା, ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। କୁମୁଡ଼ା ଜଇପୁର ଫାଣ୍ଡି ଓ ମାହାଙ୍ଗା ଥାନା ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ପୂଜା କମିଟି ପକ୍ଷରୁ କୋଠପଦା ବିଦ୍ୟୁତ୍ ବିଭାଗ, କୁହୁଣ୍ଡା ପାନୀୟ ଜଳଯୋଗାଣ ବିଭାଗ ତଥା ସ୍ଥାନୀୟ ପୁଲିସ ପ୍ରଶାସନକୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *