କଟକ, ୫/୧୨: ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସର୍ବନିମ୍ନ ପେନସନ ୧ହଜାର ଟଙ୍କାରୁ ୯ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆସୋସିସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଦୀର୍ଘ ବର୍ଷ ହେବ ଦାବୀ କରାଯାଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଦାବୀ ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ ପକ୍ଷରୁ ସମାଜ ଅଫିସ ମଧ୍ୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ସଙ୍ଘ ପକ୍ଷରୁ ଜିଲ୍ଲା ସମ୍ପାଦକ ବିନୋଦ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସଙ୍ଘ ପକ୍ଷରୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାରଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ସମାଜ ସମ୍ପାଦକ ତପନ କୁମାର ମିଶ୍ରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉକି ସର୍ବନିମ୍ନ ପେନସନ ଏକ ହଜାର ଟଙ୍କାରୁ ନଅହଜାର ଟଙ୍କାକୁ ବୃଦ୍ଧି କରିବା ସହ ମହଙ୍ଗାଭତା ପ୍ରଦାନ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁବାର ଦାବୀ ପତ୍ର ପ୍ରଦାନ କରାଯାଇଅଛି। ମାତ୍ର କେନ୍ଦ୍ର ସରକାର ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ସର୍ବନିମ୍ନ ପେନସନ ବୃଦ୍ଧି କରୁନାହାନ୍ତି କିମ୍ବା ମାନ୍ୟବର ସୁପ୍ରିମକୋର୍ଟ ୨୦୧୪ରେ ଦେଇଥିବା ନିର୍ଦ୍ଧେଶକୁ ମଧ୍ୟ କାର୍ଯକାରୀ କରୁନାହାନ୍ତି। ଏଣୁ ଏ ବାବଦରେ ହସ୍ତକ୍ଷେପ କରିବା ପାଇଁ ସମାଜର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସଙ୍ଗ ପକ୍ଷରୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ, ସମ୍ପାଦକ ବିନୋଦ କୁମାର ବେହେରା, କୋଷାଧକ୍ଷ ଦେବେନ୍ଦ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଲେଖ ଚରଣ ରାଉତ, ବୁଲେଇ ବେହେରା, କାର୍ଯ୍ୟକାରୀ ସଦସ୍ୟ ବନମାଳୀ ବେହେରା ଏବଂ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
