ଭୁବନେଶ୍ଵର, ୧୭/୧୨: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି। ତେବେ ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ଆଦର୍ଶ ବେହେରା ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି । ସେ କହିଛନ୍ତି ସୁରକ୍ଷିତ ସ୍ଥାନକୁ ଯିବା ବେଳେ ତାଙ୍କୁ ଆର୍ଏସ୍ଏଫ୍ ର ୧୫ରୁ ୨୦ ଜଣ ସଦସ୍ୟ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ।
ସେମାନେ ପ୍ରଥମେ ସେ ଭାରତୀୟ ବୋଲି ଜାଣି ନଥିଲେ। ଅପହରଣ ପରେ ତାଙ୍କୁ ୨ରୁ ୩ ଦିନ ଜଙ୍ଗଲରେ ଓ ପରେ ଏକ ଜେଲରେ ରଖିଥିଲେ। ସେ ବଞ୍ଚିବେ ବୋଲି ଭାବି ନଥିଲେ, କାରଣ ସେଠାରେ ଦିନେ ଖାଇଲେ ଦିନେ ଖାଉନଥିଲେ। ତାଙ୍କୁ ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ। ଅପହରଣକାରୀମାନେ ତାଙ୍କୁ ‘ଶାହରୁଖ ଖାନଙ୍କୁ ଜାଣିଛ କି?’ ବୋଲି ପଚାରୁଥିଲେ। ସେମାନେ ମୋ ସହ ଆଉ ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ, କିନ୍ତୁ ପରେ ମାଲିକଙ୍କୁ ଛାଡ଼ି ଦେଇଥିଲେ। ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
