୪୫୨ଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୧୭/୧୨: ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ଚାଲିବ। ଏଣେ ଦ୍ବିତୀୟ ସିଟିଂର ସମୟ ରହିଛି ଅପରାହ୍ଣ ୨ଟାରୁ ସାଢ଼େ ୪ଟା ବୋଲି ଜଣାଯାଇଛି।

ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨,୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି। ଓଟିଇଟି ପେପର-୧ରେ ୪୭, ୭୨୦ ଜଣ ଓ ପେପର-୨ରେ ୧,୧୨,୬୫୯ ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୪୫୨ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିବା ମାଧ୍ୟମିକ ଶିକ୍ଷା ପରିଷଦ ‌(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି। ଗତ ୧୪ ତାରିଖ ଠାରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯାଉଛି। ୩୦ଟି ଜିଲ୍ଲା ପାଇଁ ୪୦ଟି ରୁଟରେ ଆର୍ମଡପୁଲିସ ସହିତ ପ୍ରଶ୍ନପତ୍ର ପଠାଯାଉଛି।

Leave a Reply

Your email address will not be published. Required fields are marked *