କୋରାପୁଟ, (ପ୍ରଦିପ ଦାସ): କୋରାପୁଟର ହାଡ଼ଭଙ୍ଗା ଶୀତ ଓ ଘଞ୍ଚ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ନିଦର୍ଶନ। ସହରର ଚାକଚକ୍ୟ ଠାରୁ ବହୁ ଦୂରରେ ଥିବା ବନ୍ଧୁଗାଁ, ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ଘାଟିର ଗୁମାଣ୍ଡି ପଞ୍ଚାୟତର ଇଗୁ ମାକଡି, ଭିତର ପଢ଼ା, ତାଲୁଗୁ ମାଣ୍ଡି, ଦୁଃଖୁଡି ଘାଟି, ବରିମାଟିଆ ସାହି, ବିଜା ଘାଟି ପଞ୍ଚାୟତର ଅମ୍ବାଲି ଅମ୍ବା ଗୁଡ଼ା, କୁମ୍ଭ୍।ରୀ ପଞ୍ଚୟତର ଭିତର ଖିଲୁଆ, ବନ୍ଧୁଗାଁ ବ୍ଲକର କୁମ୍ଭା ଗଣ୍ଡା ପଞ୍ଚାୟତର ତୁରୁକୁ ଜଦଦ୍ଭା, ଟାଙ୍କୁ, ସିଙ୍ଗା ଝୁଲା, କାଢିନ୍ଡିଦ୍ଭାଲାସା, ଫୁଲଗୁମି, ପେଡା ଲାମେରା, ଉପର ପୁଟିସ୍, ହାତସରା ପଲ୍ଲୀ ପଞ୍ଚାୟତର ତଳ ପୁଟିସ୍, ଏଲେନ୍ ଗୁଲାସା, ଏସଦା, ରଷ୍ଟମୁଡ଼ା, କଙ୍ଗନ୍ ଜିପିର ଗୁଣ୍ଡି ପାଦୁ, ସବଦାନ୍, ରାମଜୀ ପୁତ୍ ଭଳି ଅପହଞ୍ଚ ଇଲାକାରେ କଲ୍ୟାଣ ଫାଉଣ୍ଡେସନ୍ କର୍ମିକତ୍ତା ଚାରି ଦିନ ଧରି ବହୁମୁଖୀ ସେବା କାର୍ଯ୍ୟକ୍ରମ କରିଛନ୍ତି। ସେବା, ସ୍ନେହ ଓ ଆପଣାପଣର ଏହି ଅଭିଯାନ ସ୍ଥାନୀୟ ଜନଜାତିଙ୍କ ମନ ଜିଣିନେଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହଜାରରୁ ଊର୍ଦ୍ଧ୍ୱ ଜନଜାତି ଭାଇଭଉଣୀଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। ବିଶେଷଜ୍ଞ ପ୍ରଫେସର ଓ ଚିକିତ୍ସକମାନେ ପାହାଡ଼ ଚଢ଼ି ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ।

କୁନି କୁନି ପିଲାମାନଙ୍କ ହାତରେ ବିସ୍କୁଟ ଓ ଚକୋଲେଟ୍ ଧରାଇ ଦେବା ବେଳେ ସେମାନଙ୍କ ଓଠରେ ଫୁଟି ଉଠୁଥିବା ନିରୀହ ହସ ସ୍ୱେଚ୍ଛାସେବୀଙ୍କୁ ଗଙ୍ଗା ସ୍ନାନର ପୁଣ୍ୟ ଦେଇଥିବା ଅନୁଭୂତ ହୋଇଥିଲା। କେବଳ ସେତିକି ନୁହେଁ, ଗାଁ ଦାଣ୍ଡରେ ଆଦିବାସୀ ମା’ମାନଙ୍କ ହାତରନ୍ଧା ଖାଦ୍ୟକୁ ସମସ୍ତେ ମିଶି ପଙ୍ଗତରେ ବସି ଖାଇବା ଦ୍ୱାରା ଏକ ନିବିଡ଼ ଆତ୍ମୀୟତାର ପରିବେଶ ସୃଷ୍ଟି ହୋଇଥିଲା।

ତେବେ ଏହି ଯାତ୍ରା ସମୟରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆ ଗ୍ରାମର ସ୍ଥିତି ସ୍ୱେଚ୍ଛାସେବୀ ଦଳକୁ ବ୍ୟଥିତ କରିଥିଲା। ସେଠାରେ ଥିବା ଏକମାତ୍ର ଜଗନ୍ନାଥ ମନ୍ଦିରରେ କେବଳ ଗୋଟିଏ ହିନ୍ଦୁ ପରିବାର ପୂଜାର୍ଚ୍ଚନା କରୁଥିବା ଏବଂ ଭକ୍ତଙ୍କ ଅଭାବରୁ ମନ୍ଦିରଟି ଶ୍ରୀହୀନ ହୋଇପଡ଼ିଥିବା ଦେଖି ସମସ୍ତେ ମର୍ମାହତ ହୋଇଥିଲେ। ଜଗନ୍ନାଥ ସଂସ୍କୃତି ଉପାନ୍ତରେ ଆହତ ହୋଇଥିବା ନେଇ ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, ଦେଓମାଳିର ସବୁଜିମା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିବା ସହ ପୁଣିଥରେ କୋରାପୁଟ ଫେରିବାକୁ ଆହ୍ୱାନ ଦେଇଥିଲା।

ଏହି ମହତ ଅଭିଯାନରେ ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ଦାମୋଦର ବିଶ୍ୱାଳ, ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ତଥା ସମାଜସେବୀ ସୁନନ୍ଦା ମହାନ୍ତି, ବରୁଣ ଗୁପ୍ତା, ତରୁଣ ଅଗ୍ରୱ୍ଵାଲଙ୍କ ଆର୍ଥିକ ସହାୟତା, ସହଯୋଗ ଓ ପ୍ରେରଣା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଓମ୍ ଭାଇଙ୍କ ନିଷ୍ଠାପର ପରିଚାଳନା ଏବଂ ଏକମାତ୍ର ମହିଳା ସଦସ୍ୟା ରଶ୍ମିରେଖାଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବି ଅଭିମନ୍ୟୁ ସାହୁ, ଶିଶୁଶଲ୍ୟ ବିଶେସଂଗ୍ୟ ଡା ବନୋଜ ରାୟ, ଡା ଦେବି ପ୍ରଶାଦ ଭଦ୍ର, ପରିବେଶବିତ ସୁରେସ ସଂଗ୍ରାମ , ଶିକ୍ଷାବିତ ଅକ୍ଷୟ ବେହେରା, ସାମ୍ବାଦିକ ସତ୍ୟନାରାୟଣ ଦାସ, ବଡସର ପଲ୍ଲୀ ପଞ୍ଚାୟତର ସରପଞ୍ଚ ସୁନ୍ଦର ପିଡିକା, ଭୌମ ରଞନ ନାୟକ, ଉଦିତ ନାରାୟଣ ରଚମଲା, ସମର କୁମାର ରାୟ, ଦିନବନ୍ଧୁ ନାୟକ, ଭାରତ ଭୁଷଣ ପଟନାୟକ, ଚନ୍ଦ୍ରଶେଖର ପଣ୍ଡା, ସୁରଥ ଡାକୁଆ, ପ୍ରଭାତ ଜାଲି, ବଳରାମ ନାହକ, ରାଜ କିଶୋର ପରିଡା, ରୁଦ୍ର ପ୍ରଶାଦ ନାୟକ ଓ ରମାକାନ୍ତ ନାୟକଙ୍କ ପରେକ୍ଷ ଅବଦାନ କୁ ସମସ୍ତେ ପ୍ରଶଂସା କରିଛନ୍ତି।
