ଭୁବନେଶ୍ୱର, ୧୮/୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡରଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଗୁରୁବାର ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଉଭୟ କ୍ୟାଲେଣ୍ଡରରେ ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ ଏବଂ ପାରମ୍ପରିକ ପଥର ଖୋଦେଇ ଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ରଥଯାତ୍ରା ସମ୍ବନ୍ଧୀୟ ଭବ୍ୟ ଚିତ୍ରଗୁଡିକ ଉପସ୍ଥାପିତ କରାଯାଇଛି। ଆଗାମୀ ୨/୩ ଦିନ ପରେ ପୁରୀ ଓ ଭୁବନେଶ୍ୱରସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ରଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ନିମନ୍ତେ ଉପଲବ୍ଧ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଡାଏରୀ ମଧ୍ୟ ଉନ୍ମୋଚନ କରିଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଦେବବ୍ରତ ସାହୁ ଏବଂ ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
