ଢେଙ୍କାନାଳ ଡିଏଫ୍ଓ କାର୍ଯ୍ୟାଳୟରେ ୬୫.୯୦ ଲକ୍ଷ ଟଙ୍କାର ହେରଫେର: ବରିଷ୍ଠ କିରାଣୀଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ
ଢେଙ୍କାନାଳ/କଟକ : ଢେଙ୍କାନାଳ ବନଖଣ୍ଡ ଅଧିକାରୀ (ଡିଏଫ୍ଓ)ଙ୍କ କାର୍ଯ୍ୟାଳୟରେ ଦୀର୍ଘ ଏକ ଦଶନ୍ଧି ଧରି ଚାଲିଥିବା ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କାର ଆର୍ଥିକ ଅନିୟମିତତା ଓ ହେରଫେର ମାମଲାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ। ଏହି ଘଟଣାରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସୁଜିତ କୁମାର ଜେନା ଏବଂ ତାଙ୍କର ଦୁଇ ସହଯୋଗୀ ସୌମ୍ୟରଞ୍ଜନ ବେହେରା ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୬ରୁ ୨୦୨୬ ମଧ୍ୟରେ ହୋଇଥିବା ସରକାରୀ ଆର୍ଥିକ କାରବାର ଯାଞ୍ଚ ପରେ ଏହି ସୁଚିନ୍ତିତ ଦୁର୍ନୀତି ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ସୁଜିତ କୁମାର ଜେନା ନିଜ ପଦବୀର ଦୁରୁପଯୋଗ କରି ଚାକିରିରୁ ବରଖାସ୍ତ ତଥା ଫେରାର କର୍ମଚାରୀଙ୍କ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ବିଲ୍, ପ୍ରୋଭିଜନାଲ ପେନସନ, କର୍ମଚାରୀ ଦରମା ବିଲ୍, କଣ୍ଟିଜେନ୍ସି ଖର୍ଚ୍ଚ ଏବଂ ନକଲି ଭ୍ରମଣ ଭତ୍ତା (ଟି.ଏ.) ବିଲ୍ ଜରିଆରେ ସରକାରୀ ଅର୍ଥ ହଡ଼ପ କରିଥିଲେ। ସେ ଏହି ସରକାରୀ ଟଙ୍କାକୁ ନିଜର, ପରିବାରବର୍ଗଙ୍କ ତଥା ସହଯୋଗୀମାନଙ୍କ ବ୍ୟାଙ୍କ ଖାତାକୁ ବେଆଇନ ଭାବେ ସ୍ଥାନାନ୍ତର କରୁଥିଲେ।
ତଦନ୍ତ ବେଳେ ମିଳିଥିବା ତଥ୍ୟ ଅନୁସାରେ, ସୁଜିତ ତାଙ୍କ ମାଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮,୭୨,୫୨୦ ଟଙ୍କା, ସଦର ରେଞ୍ଜ୍ ହାତୀ ସ୍କ୍ୱାଡ୍ର କର୍ମଚାରୀ ସୌମ୍ୟରଞ୍ଜନ ବେହେରାଙ୍କ ଖାତାକୁ ୧୦,୪୮,୮୬୬ ଟଙ୍କା ଏବଂ ଘନିଷ୍ଠ ସହଯୋଗୀ ରଶ୍ମିରଞ୍ଜନ ସ୍ୱାଇଁଙ୍କ ଖାତାକୁ ୮,୮୬,୧୯୩ ଟଙ୍କା ପଠାଇଥିଲେ।
ଏହି ଦୁର୍ନୀତି ପଦାକୁ ଆସିବା ପରେ ତିନିଜଣ ଯାକ ଅଭିଯୁକ୍ତ ବହୁ ଦିନ ଧରି ଫେରାର ରହିଥିଲେ। ତେବେ ଭିଜିଲାନ୍ସ ବିଭାଗ ଟେକ୍ନିକାଲ୍ ଇଣ୍ଟେଲିଜେନ୍ସ ଏବଂ ମୋବାଇଲ୍ ଲୋକେସନ ଟ୍ରାକିଂ ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ନଜର ରଖି ଶେଷରେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଭ୍ରଷ୍ଟାଚାର ନିବାରଣ ଆଇନ ଏବଂ ବିଏନ୍ଏସ୍ (BNS)ର ବିଭିନ୍ନ ଦଫାରେ କେସ୍ ନମ୍ବର ୪୦/୨୦୨୬ ରୁଜୁ କରାଯାଇଛି। ଆଜି ତିନି ଅଭିଯୁକ୍ତଙ୍କୁ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଉଛି। ଏହି ବୃହତ ଆର୍ଥିକ ହେରଫେରରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
