Klyzxhhwg7zzixsnsymd

ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ: ସରକାର ନେବେ ଆଇନ୍‌ଗତ ପଦକ୍ଷେପ

ରାଜ୍ୟ
Share

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର ପରେ ବି ଦୀଘାରେ ‘ଜଗନ୍ନାଥ ଧାମ’ ଫଳକ ହଟିନାହିଁ। ତେଣୁ ସରକାର ଖୁବଶୀଘ୍ର ଆଇନଗତ ପଦକ୍ଷେପ ନେବେ। ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସରକାରଙ୍କୁ ଚିଠି ଲେଖିଥିଲେ। ଚିଠିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ। ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ। ପୁରୀ ଜଗନ୍ନାଥଧାମର ସ୍ଥାନ ସ୍ବତନ୍ତ୍ର ଓ ପବିତ୍ର। ଅନ୍ୟ କେଣସି ସ୍ଥାନରେ ‘ଜଗନ୍ନାଥ ଧାମ ବ୍ୟବହାର ଶ୍ରଦ୍ଧାଳୁଙ୍କୁ ଆଘାତ ଦେଉଛି। କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ ଏହା କୁଠାରଘାତ କରୁଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି।
ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ଏହି ପ୍ରସଙ୍ଗକୁ ଗୁରୁତ୍ବପୂର୍ଣ୍ଣ ମନେ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଚିଠିରେ ସୁଦର୍ଶନ ଲେଖିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ। ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ। ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଏହି ଚର୍ଚ୍ଚିତ ଧାର୍ମିକ ପରିଚୟର ପବିତ୍ରତା ଏବଂ ଅନନ୍ୟତାକୁ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।
ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଓ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ପୁରୀ କେବଳ ‘ଜଗନ୍ନାଥ ଧାମ’। ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଏହା ଶାସ୍ତ୍ରସମ୍ମତ ମତ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ବି ସ୍ପଷ୍ଟ କରିଛି। ଏଣୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କିମ୍ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରିବାରୁ ନିବୃତ୍ତ ରୁହନ୍ତୁ।

Leave a Reply

Your email address will not be published. Required fields are marked *