ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୨୩/୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଦଳର ନେତା କାମ୍ରାନ ସୟିଦ ଉସମାନୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବାଂଲାଦେଶର ସ୍ୱାଧୀନତା ଉପରେ ଆଞ୍ଚ ଆସିଲେ ପାକିସ୍ତାନ ଚୁପ୍ ରହିବ ନାହିଁ।“ଯଦି ଭାରତ ବାଂଲାଦେଶର ସ୍ୱାୟତ୍ତଶାସନ ଉପରେ ଆକ୍ରମଣ କରେ କିମ୍ବା ଖରାପ ନଜର ପକାଏ, ତେବେ ମନେ ରଖିବା ଉଚିତ ଯେ ପାକିସ୍ତାନର ସେନା ଏବଂ କ୍ଷେପଣାସ୍ତ୍ର ଅତି ଦୂରରେ ନାହାନ୍ତି।

”ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଏକ ଆନୁଷ୍ଠାନିକ ସାମରିକ ମେଣ୍ଟ ହେବା ଉଚିତ। ଦୁଇ ଦେଶ ପରସ୍ପରର ମାଟିରେ ସାମରିକ ଘାଟି ସ୍ଥାପନ କରିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଭାରତ ନିଜର ‘ଅଖଣ୍ଡ ଭାରତ’ ବିଚାରଧାରାକୁ ବାଂଲାଦେଶ ଉପରେ ଲଦିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।ଉସମାନୀ ଏକ ରଣନୀତିକ ଚିତ୍ର ଉପସ୍ଥାପନ କରି କହିଛନ୍ତି ଯେ, ପଶ୍ଚିମ ପଟୁ ପାକିସ୍ତାନ, ପୂର୍ବ ପଟୁ ବାଂଲାଦେଶ ଏବଂ ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାରେ ଚାଇନା ରହିଲେ ଭାରତ ପାଇଁ ଅଡୁଆ ସୃଷ୍ଟି ହେବ। ଏହି ମେଣ୍ଟ ଦ୍ୱାରା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ସହ ବାଂଲାଦେଶର ବନ୍ଦରଗୁଡ଼ିକୁ ଯୋଡ଼ା ଯାଇପାରିବ। ସେ ଦାବି କରିଛନ୍ତି ଯେ “ଯିଏ ସମୁଦ୍ର ଓ ବନ୍ଦରକୁ ନିୟନ୍ତ୍ରଣ କରେ, ସେ ବିଶ୍ୱକୁ ଶାସନ କରେ।”ଭାରତୀୟ ସୀମା ସୁରକ୍ଷା ବଳ (BSF) ବାଂଲାଦେଶ ସୀମାରେ ଲୋକଙ୍କୁ ହଇରାଣ କରୁଥିବା ନେଇ ସେ ମିଥ୍ୟା ଅଭିଯୋଗ ମଧ୍ୟ କରିଛନ୍ତି। ଭାରତ ବାଂଲାଦେଶକୁ ଏକ ‘ହିନ୍ଦୁ ରାଷ୍ଟ୍ର’ର ଅଂଶ କରିବାକୁ ଚାହୁଁଥିବା ସେ ନିଜ ବୟାନରେ କହିଛନ୍ତି।

Leave a Reply

Your email address will not be published. Required fields are marked *