ଚୋରି କରୁଥିବା ନିଶାଖୋର ଯୁବକ କାବୁ, ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଅପରାଧ ଭଦ୍ରକ ରାଜ୍ୟ
Spread the love

ଭଦ୍ରକ, ୨୮/୧୨: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳରେ ଏକ ଚୋରି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଚୋରି କରୁଥିବା ସମୟରେ ଜଣେ ନିଶାଖୋର ଯୁବକଙ୍କୁ ଗ୍ରାମବାସୀ ଧରି ପକାଇ ଗାଁ ମଝିରେ ଥିବା ଏକ ଇଲେକଟ୍ରିକ ପୋଲରେ ବାନ୍ଧି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଜଣକ ପୂର୍ବରୁ ବିଭିନ୍ନ ସମୟରେ ଚୋରି କରି କୌଶଳକ୍ରମେ ଫେରାର ହୋଇଯାଉଥିଲା। ଆଜି ଭୋର ସମୟରେ ସେ ଗାଁର ଜଣେ ଲୋକଙ୍କ ଘରେ ଚୋରି କରି ନିଶାସକ୍ତ ଅବସ୍ଥାରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ତାଙ୍କୁ କାବୁ କରିଥିଲେ।

ଗ୍ରାମବାସୀମାନେ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ଗାଁ ମଝିରେ ଥିବା ଏକ ଇଲେକଟ୍ରିକ ପୋଲରେ ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ବାନ୍ଧି ଦେଇଥିଲେ। ଘଟଣା ସମୟରେ ଯୁବକ ଜଣକ ଏତେ ମାତ୍ରାରେ ନିଶାସକ୍ତ ଥିଲା ଯେ ସେ ଠିକ୍‌ଭାବେ କଥା କହିପାରୁ ନଥିବା ସୂଚନା ମିଳିଛି।

ଖବର ପାଇ ଭଦ୍ରକ ପୁରୁଣା ବଜାର ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖିଛି। ପୁଲିସ ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରି ଚୋରି ସମ୍ପର୍କରେ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରିଛି।

Leave a Reply

Your email address will not be published. Required fields are marked *