ରାଜନଗର, ୪/୧: କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ହୋଇଛି। ରାଜନଗର ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ୨୦୨୪ରେ ବିଜେପି ଟିକଟରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ ବେହେରା ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗି ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଛନ୍ତି। ବିଡିଓଙ୍କ ସୁରକ୍ଷା ଦେବା ପାଇଁ ଏସ୍ପିଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି। ବିଡିଓ ତିଳୋତ୍ତମା ପୃଷ୍ଟି ଘଟଣା ସମ୍ପର୍କରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଜେଡି କର୍ମୀ ବାଟରେ ଅଟକାଇ ବିଡିଓଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଏ ନେଇ ରାଜନଗର ଥାନାରେ ବିଜେପି ନେତା ଲଳିତ ବେହେରାଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି େଯ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଲଳିତ ବେହେରା ତାଙ୍କର ୨୦/୨୨ ଜଣ ସମର୍ଥକଙ୍କ ସହ ବିଡିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ବେଆଇନ ଭାବେ କେତେକ ସରକାରୀ କାର୍ଯ୍ୟ କରିବା ପାଇଁ ବିଡିଓଙ୍କୁ ବାଧ୍ୟ କରିଥିଲେ। ତେବେ ଏହି ବେଆଇନ କାର୍ଯ୍ୟ କରିବେ ନାହିଁ ବୋଲି ବିଡିଓ ରୋକ୍ଠୋକ ମନା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଲଳିତ ବେହେରା ବିଡିଓ ଶ୍ରୀମତୀ ପୃଷ୍ଟିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗିଥିଲେ। ହୋହାଲ୍ଲା ଶୁଣି ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଯିବାରୁ ଲଳିତ ବେହେରା ଓ ତାଙ୍କ ସମର୍ଥକ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ସିସିଟିଭିରେ ରେକର୍ଡିଂ ହୋଇଛି। ଏହି ଘଟଣା ନେଇ ବିଜେଡି କର୍ମୀ ଶନିବାର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଶନିବାର ଭିତରକନିକା ବୁଲି ଫେରୁଥିବା ଖବର ପାଇ ବିଜେଡି କର୍ମୀ ଶ୍ରୀମତୀ ପରିଡ଼ାଙ୍କୁ ବାଟରେ ଅଟକାଇ ବିଡିଓଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ଏଥିସହ ବିଜେଡି କର୍ମୀ ରାଜନଗର ହଂସୁଆ ସେତୁ ଉପରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଉପଜିଲାପାଳ ଅରୁଣ କୁମାର ନାୟକ ଓ ଅତିରିକ୍ତ ଏସ୍ପି ସୁଧାକର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଆଲୋଚନା କରିବା ପାଇଁ ବିଜେଡି କର୍ମୀଙ୍କୁ ତହସିଲ କାର୍ଯ୍ୟାଳୟକୁ ଡାକି ନେଇଥିଲେ। ଫଳରେ ବିଜେଡି କର୍ମୀ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ। ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଛନ୍ତି। ବିଡିଓଙ୍କ ସୁରକ୍ଷା ଦେବା ପାଇଁ ଏସ୍ପିଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି। ବିଡିଓ ତିଳୋତ୍ତମା ପୃଷ୍ଟି ଘଟଣା ସମ୍ପର୍କରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କୁ ପଚାରିବାରୁ ସେ କହିଲେ ଜିଲାପାଳ ଏ ନେଇ ତାଙ୍କ ସହ ଆଲୋଚନା କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
