ଝଙ୍କଡ଼, ୧୧/୦୧: ଓଡ଼ିଆ ସାହିତ୍ୟର ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ ବଂଶଧର ତଥା ଅଞ୍ଚଳର ଜଣେ ବିଶିଷ୍ଟ ଧର୍ମପ୍ରାଣା ମହିଳା ଅନୁସୂୟା ପରିଜାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଦିକବିଙ୍କ ଜନ୍ମମାଟି ବଡ଼ସରୋଳ ସ୍ଥିତ କାଳୀନାଗ ଗାଦିଘର ସମ୍ମୁଖରେ ଥିବା ନିଜ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତା ଅନୁସୂୟା ଜଣେ ପତିବ୍ରତା, ଆଦର୍ଶ ଗୃହିଣୀ ଏବଂ ପରୋପକାରୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, କ୍ଷେତ୍ରମୋହନ ସାହୁ, ବରିଷ୍ଠ ସାମ୍ବାଦିକ ଗିରିଜା ପ୍ରସାଦ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ମମତା ପଟ୍ଟନାୟକଙ୍କ ସମେତ ପରିବାରର ସଦସ୍ୟ ମୌସୁମୀ ପରିଜା, ସୁମିତ ପରିଜା, ଫନୀ ପରିଜା, ଆୟୁଷ୍ମାନ ପରିଜା, ଅତିସ ପରିଜା, ଆଦିତ୍ୟ ପରିଜା, ପ୍ରଦୀପ୍ତ ପରିଜା, ସଙ୍ଗୀତ ପରିଜା ଓ ସତ୍ୟଜିତ ପରିଜା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତା ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ୱାମୀ ସନ୍ତୋଷ ପରିଜା ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ତାଙ୍କର ବଡ଼ପୁଅ ଅମିତ ପରିଜା ମୁଖାଗ୍ନି ଦେଇଥିଲେ।
