ଝଙ୍କଡ଼, ୧୨/୦୧: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୫୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ଦିନ ବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଏହି ଉତ୍ସବରେ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ, ପରିଚାଳନା କମିଟି ସମ୍ପାଦକ ସର୍ବେଶ୍ୱର ଦାସ, ସିଆରସିସି ରଶ୍ମିରଂଜନ ନାୟକ ଓ ରବୀନ୍ଦ୍ରନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, କ୍ରୀଡ଼ା ଓ ଶାରୀରିକ ବ୍ୟାୟାମ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଗଠନ ହୋଇଥାଏ। ନିୟମିତ ଅଭ୍ୟାସ ବଳରେ ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଜୟୀ ହୋଇ ଦେଶ ତଥା ଜାତି ପାଇଁ ଗୌରବ ଆଣିଥାନ୍ତି। ତେଣୁ ଏହି ବିଦ୍ୟାଳୟର ପିଲାମାନେ ଭବିଷ୍ୟତରେ ଭଲ ଖେଳାଳି ହୋଇ ବିଦ୍ୟାଳୟର ସୁନାମ ବଜାୟ ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏଥିସହିତ ଛାତ୍ରଛାତ୍ରୀମାନେ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ବାବୁଲି ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷକ ଟୁଟୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।
