ଝଙ୍କଡ଼, ୧୨/୦୧: କଳାର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ପୀଠରେ ଦୀର୍ଘ ବର୍ଷ ଧରି ନାଟ୍ୟମଣ୍ଡପ ନଥିବାରୁ କଳାକାରମାନେ ନିରାଶ ହେଉଛନ୍ତି। ଏନେଇ ଯାତ୍ରା ଜଗତର ଖ୍ୟାତନାମା ଖଳନାୟକ ତଥା ଉତ୍କଳ ଯାତ୍ରାଶିଳ୍ପୀ ସଙ୍ଘର ପ୍ରାକ୍ତନ ସଭାପତି ଦୈତାରୀ ପଣ୍ଡା ଗଭୀର କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମଣ୍ଡପ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି।
ସୋମବାର ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଶ୍ରୀ ପଣ୍ଡା ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାର କଳା ଓ ସଂସ୍କୃତି ସହ ମା’ ସାରଳାଙ୍କ ପୀଠର ନିବିଡ଼ ସମ୍ପର୍କ ରହିଛି। ଯାତ୍ରା, ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତନ ଠାରୁ ଆରମ୍ଭ କରି ବିଭିନ୍ନ ଲୋକନୃତ୍ୟ ଓ ଲୋକସଙ୍ଗୀତ ଅନୁଷ୍ଠାନଗୁଡ଼ିକ ପ୍ରଥମେ ଏଠାରେ ନିଜର କଳା ପ୍ରଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି। ଏହାପରେ ସେମାନେ ଦୂରଦୁରାନ୍ତକୁ ଯାତ୍ରା କରି ସୁନାମ ଅର୍ଜନ କରିଥାନ୍ତି। କିନ୍ତୁ ଦୁଃଖର ବିଷୟ, ଦୀର୍ଘ ୧୦-୧୨ ବର୍ଷ ହେବ ଏଠାରେ କୌଣସି ନାଟ୍ୟମଣ୍ଡପ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନେ ନିରୁତ୍ସାହିତ ହୋଇ ଫେରୁଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ମନ୍ଦିର ପରିଚାଳନା ସମିତିର ସୋଲ୍ ଟ୍ରଷ୍ଟି ତଥା ଜଗତସିଂହପୁର ଜିଲ୍ଲାପାଳ, ଦେବୋତ୍ତର ବିଭାଗ ଏବଂ ବିଶେଷକରି ରାଜ୍ୟ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ଏହି ଗସ୍ତ ସମୟରେ ତାଙ୍କ ସହିତ କୋଣାର୍କ ଗଣନାଟ୍ୟର ମୁଖ୍ୟ ନାୟିକା ନଳିନୀ ସ୍ୱାଇଁ ଏବଂ ହାସ୍ୟ ଅଭିନେତା କେଳୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମାନ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଅବସରରେ ମା’ଙ୍କ ସେବାୟତମାନେ କଳାକାରମାନଙ୍କୁ ସ୍ୱାଗତ କରିବା ସହ ମାଆଙ୍କ ଅଜ୍ଞାମାଳ, ଅଙ୍ଗବସ୍ତ୍ର ଓ ପୁଷ୍ପଚନ୍ଦନ ଦେଇ ସମ୍ମାନିତ କରିଥିଲେ।
