ମାତୃଭୂମି ପାଇଁ ବଳିଦାନ ଦେଇଥିବା ବୀର ଯବାନ ବିକ୍ରମ ସାହୁ ଅମର: ସିପୁରାରେ ପାଳିତ ହେଲା ୩୫ତମ ଜୟନ୍ତୀ

ରାଜ୍ୟ
Spread the love

ମାହାଙ୍ଗା : ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମାହାଙ୍ଗାର ବୀର ସନ୍ତାନ ସହୀଦ ବିକ୍ରମ ସାହୁ ଥିଲେ ଜଣେ ନିର୍ଭୀକ ରାଷ୍ଟ୍ରଭକ୍ତ। ତାଙ୍କ ଭଳି ବୀର ସୈନିକଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହେବା ଆଜିର ଯୁବପିଢ଼ି ପାଇଁ ଏକାନ୍ତ ଆବଶ୍ୟକ। ସହୀଦ ବୀର ବିକ୍ରମ ସାହୁଙ୍କ ୩୫ତମ ଜୟନ୍ତୀ ଅବସରରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି।

ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମର “ସହୀଦ ବୀର ବିକ୍ରମ ସ୍ମୃତି କମିଟି” ଆନୁକୂଲ୍ୟରେ ଏହି ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କବି ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସହୀଦ ବିକ୍ରମଙ୍କ ଦେଶଭକ୍ତି ଓ ବଳିଦାନର ପଟ୍ଟାନ୍ତର ନାହିଁ। ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ ଯୋଗଦେଇ କହିଲେ, “ମା’ ମାଟି ଓ ମାତୃଭୂମିର ସେବାରେ ନିଜକୁ ସମର୍ପି ଦେଇଥିବା ବିକ୍ରମ ସାହୁଙ୍କ ପାଇଁ ଆଜି ସମଗ୍ର ମାହାଙ୍ଗା ଅଞ୍ଚଳ ଗର୍ବିତ।”

ସୂଚନାଯୋଗ୍ୟ ଯେ, ବୀର ଯବାନ ବିକ୍ରମ ସାହୁ ମାହାଙ୍ଗା ବ୍ଲକର ପ୍ରଥମ ସହୀଦ। ଦନ୍ତୱାଡ଼ାଠାରେ ନକ୍ସଲ ଆକ୍ରମଣ ସମୟରେ ସେ ବୀରତ୍ୱର ସହ ଲଢ଼ି ଶହୀଦ ହୋଇଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ, ସହୀଦଙ୍କ ପାର୍ଥିବ ଶରୀର ପରିବାରକୁ ହସ୍ତାନ୍ତର କରାଯିବା ପରେ ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସ୍ମାରକୀ କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ। ଏହାକୁ ନେଇ ଜୟନ୍ତୀ ସଭାରେ ଉପସ୍ଥିତ ଅତିଥି ଓ ଗ୍ରାମବାସୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା, ପୂର୍ବତନ ନାୟବ ସରପଞ୍ଚ ବଟକୃଷ୍ଣ ଦାଶ, ନିହାରକାନ୍ତି ହରିଚନ୍ଦନ, ଯୁବ ସଂଗଠକ ଅଶୋକ ଦାଶ, କଣ୍ଠଶିଳ୍ପୀ ଜଗଦାନନ୍ଦ ରାଉତରାୟ ଏବଂ ରଞ୍ଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ ରାଉତରାୟ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ବାବାଜୀ ଚରଣ ସାହୁ, ସଂଗ୍ରାମ ସାହୁ, ଅକ୍ଷୟ ସାହୁ, ବିଶ୍ୱଜିତ ସାହୁ, ରଞ୍ଜନ ମହାନ୍ତି, ଜୟଶ୍ରୀ ସାହୁ, ଗିରିଜାନନ୍ଦନ ରାଉତରାୟ ଓ ଆଲୋକ ଜେନା ପ୍ରମୁଖ ସକ୍ରିୟ ଭାବେ ପରିଚାଳନା କରିଥିଲେ। ଏଥିରେ ସୁନୁପେଇ ବିଦ୍ୟାପୀଠର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ମୂଳବସନ୍ତ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଯୋଗଦେଇ ବୀର ସହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *