କଟକ : କଟକ ସାଆନ୍ତସାହିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ “ବ୍ରାଇଟ୍ ଟୋପାଜ୍ ପ୍ରି-ସ୍କୁଲ୍ ଏଣ୍ଡ ଡେ’ କେୟାର”ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁନି କୁନି ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ପ୍ରାରମ୍ଭିକ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି।


ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପ୍ରକାଶ କୁମାର ସାହୁ ଯୋଗଦେଇ ପିଲାଙ୍କୁ ଶୈଶବରୁ ସଠିକ୍ ସଂସ୍କାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (SCB) ଶିଶୁ ରୋଗ ବିଭାଗର ଡାକ୍ତର ସ୍ୱସ୍ତିକ ଦାସ ଯୋଗଦେଇ ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ୍ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାନ୍ତି, ନିର୍ଦ୍ଦେଶକ ରବିନାରାୟଣ ମହାନ୍ତି ଏବଂ ପ୍ରିନ୍ସିପାଲ୍ ବିଷ୍ଣୁପ୍ରିୟା ଦାସ ମଞ୍ଚାସୀନ ରହି ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପିଲାମାନଙ୍କର ନାଚ, ଗୀତ ଓ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ବିଶେଷକରି, ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର କୁନି ପିଲାଙ୍କ ଉପରେ କିଭଳି କୁପ୍ରଭାବ ପକାଉଛି, ତାହାକୁ ନେଇ ପରିବେଷିତ ଏକ ନିଚ୍ଛକ ଅଭିନୟ ଉଭୟ ଅଭିଭାବକ ଓ ଦର୍ଶକଙ୍କୁ ଚିନ୍ତା କରିବାକୁ ଖୋରାକ ଯୋଗାଇଥିଲା।

ସ୍କୁଲ୍ର ପ୍ରିନ୍ସିପାଲ୍ ଶ୍ରୀମତୀ ଦାସ ନିଜର ବକ୍ତବ୍ୟରେ କହିଥିଲେ ଯେ, ବିଦ୍ୟାଳୟ ପ୍ରତିଷ୍ଠା ହେବାର ମାତ୍ର ଏକ ବର୍ଷ ମଧ୍ୟରେ ଶିକ୍ଷାଦାନ ଓ ପରିଚାଳନା କ୍ଷେତ୍ରରେ କୌଣସି ଅଭିଭାବକଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ, ଯାହା ଅନୁଷ୍ଠାନର ସଫଳତାକୁ ଦର୍ଶାଉଛି। ଏହି ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଉପାସନା ନାୟକ, ହୁସନାରା ଖାତୁନ ଏବଂ ସୋମରାଣୀ ଦାସ ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଅର୍ପିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
