ଝଙ୍କଡ଼, ୨୦/୦୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଆସନ୍ତା ଜାନୁଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘ବାଣୀପର୍ବ’ ମହୋତ୍ସବ। ଏଥିପାଇଁ କନକପୁର ସ୍ଥିତ ବିଶ୍ରାମାଗାର ପରିସରରେ ଆବାହକ ଦେବେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି ବୈଠକରେ ମହୋତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବାଣୀପର୍ବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ବିଶିଷ୍ଟ ନେତୃବୃନ୍ଦ, ଜନପ୍ରତିନିଧି, ସାରଳା ସାହିତ୍ୟ ବିଶେଷଜ୍ଞ, ସାରସ୍ୱତ ସାଧକ ଏବଂ କଳାକାର ଯୋଗଦେବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଥିବା ନେଇ ଶ୍ରୀ ରାଉତ ସୂଚନା ଦେଇଛନ୍ତି।
ବିଶେଷ ସୂଚନା ଯୋଗ୍ୟ ଯେ, ଏହି ସାରସ୍ୱତ ମହୋତ୍ସବ ଦୀର୍ଘ ଏକ ବର୍ଷ ବ୍ୟାପି ପାଳନ କରାଯିବ। ଚଳିତ ବର୍ଷ ଜାନୁଆରୀରୁ ଏହାର ଶୁଭାରମ୍ଭ ହୋଇ ଆସନ୍ତା ବର୍ଷ ମାଘ ସପ୍ତମୀ ତଥା ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ ଅବସରରେ ଏହା ଉଦଯାପିତ ହେବାକୁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ଏହି ପ୍ରସ୍ତୁତି ବୈଠକରେ ମା’ ସାରଳାଙ୍କ ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଜ୍ୟୋତିରଞ୍ଜନ ପ୍ରଧାନ, ସ୍ନେହମୟୀ ଆଚାର୍ଯ୍ୟ, ଡଃ ସୁରେଶ କୁମାର ପ୍ରଧାନ, ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ, ସରୋଜିନୀ ମିଶ୍ର, ତୁଳସୀ ବରାଳ, ନଳିନୀପ୍ରଭା ଦେବୀ, ଯଯାତିକେଶରୀ ସାମନ୍ତରାୟ, ବିଚିତ୍ରାନନ୍ଦ ବିଶ୍ୱାଳ, ହେମନ୍ତ ନାୟକ ଓ ଗୌରାଙ୍ଗ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।
ଏହା ସହିତ ସାରଳା ମନ୍ଦିରର ସିଂହଦ୍ୱାର ପାର୍ଶ୍ୱରେ ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କର ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ‘ବାଣୀପର୍ବ’ କମିଟି ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଥିବା ନେଇ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏହି ପର୍ବ ଝଙ୍କଡ଼ ଅଞ୍ଚଳର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଆଶା କରାଯାଉଛି।
