କଟକ: ବର୍ତ୍ତମାନ ସମୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଟ୍ରାଫିକ ନିୟମ ପ୍ରତି ସମ୍ମାନ ସୃଷ୍ଟି କରିବା ଲକ୍ଷ୍ୟରେ ଅଗ୍ରଣୀ ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ (ORS) ପକ୍ଷରୁ ଏକ ମହନୀୟ ଅଭିଯାନ ଆରମ୍ଭ ହୋଇଛି। ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଂଘ ପକ୍ଷରୁ ‘ସଡ଼କ ସୁରକ୍ଷା ହିଁ ଜୀବନ ରକ୍ଷା’ ବାର୍ତ୍ତାକୁ ନେଇ କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରାଯାଇଛି।
ଓଡ଼ିଶା ରାଷ୍ଟ୍ରବାଦୀ ସଂଘର ସଭାପତି ତଥା ବିଶିଷ୍ଟ ଯୁବ ସଙ୍ଗଠକ ଇଂ. ଗିରିଜା ଶଙ୍କର ପତିଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ସଡ଼କରେ ଯାତ୍ରା କରୁଥିବା ସମୟରେ ସାମାନ୍ୟ ଅସାବଧାନତା କିପରି ଏକ ହସଖୁସିର ପରିବାରକୁ ଛାରଖାର କରିଦିଏ, ସେ ସମ୍ପର୍କରେ ସଂଘ ପକ୍ଷରୁ ଲୋକଙ୍କୁ ବୁଝାଯାଇଥିଲା। ଟ୍ରାଫିକ ନିୟମ ମାନିବା କେବଳ ପୋଲିସର ଜରିମାନାରୁ ବଞ୍ଚିବା ପାଇଁ ନୁହେଁ, ବରଂ ନିଜର ଏବଂ ନିଜ ପରିବାରର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ବୋଲି ଇଂ. ପତି ନିଜ ବକ୍ତବ୍ୟରେ କହିଛନ୍ତି।
ଓଡ଼ିଶା ରାଷ୍ଟ୍ରବାଦୀ ସଂଘର ଏହି ଗଠନମୂଳକ କାର୍ଯ୍ୟକ୍ରମକୁ ସହରର ବୁଦ୍ଧିଜୀବି, ଶିକ୍ଷାବିତ୍ ଏବଂ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ସରକାରଙ୍କ ପ୍ରଶାସନିକ ପ୍ରୟାସ ସହିତ ଓଆରଏସ (ORS) ଭଳି ସାମାଜିକ ସଂଗଠନଗୁଡ଼ିକ ଯେତେବେଳେ ଏପରି ମହତ କାର୍ଯ୍ୟରେ ସାମିଲ ହୁଅନ୍ତି, ସେତେବେଳେ ସମାଜରେ ପ୍ରକୃତ ପରିବର୍ତ୍ତନ ଆସେ ବୋଲି ମତ ପ୍ରକାଶ ପାଇଛି।
ସଂଘ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜଣେ ସଚେତନ ନାଗରିକ ହିଁ ଏକ ସୁରକ୍ଷିତ ରାଷ୍ଟ୍ର ଗଠନ କରିପାରିବ ବୋଲି ସଂଘ ବିଶ୍ୱାସ କରେ।
ଏହି ସଚେତନତା କାର୍ଯ୍ୟକ୍ରମରେ ସଂଘର ବହୁ ସକ୍ରିୟ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ଲିଫଲେଟ୍ ବାଣ୍ଟିବା ସହ ସେମାନଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇଥିଲେ।
