ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାମାନେ ଅସୁରକ୍ଷିତ ଥିବା ବେଳେ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ, ପଡ଼ୋଶୀ କନ୍ଧମାଳ ଜିଲ୍ଲାରୁ ଆସିଥିବା ନାବାଳିକା ଦୁଷ୍କର୍ମ ଉଦ୍ୟମ ଭଳି ଲଜ୍ୟାଜନକ ଘଟଣାକୁ ନେଇ ବିଜେଡି ତୀବ୍ର ସମାଲୋଚନା କରିଛି। ସରକାର ପ୍ରଥମେ କନ୍ୟାମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦିଅନ୍ତୁ, ତା’ ପରେ ଯୋଜନା କଥା କୁହନ୍ତୁ ବୋଲି ଦଳ ଦାବି କରିଛି।
ଏକ ପ୍ରେସ୍ ବିବୃତି ମାଧ୍ୟମରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଶାସନକୁ ଆସିବା ପରଠାରୁ ରାଜ୍ୟରେ ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ, ଗତ ୧୫ ମାସ ମଧ୍ୟରେ ଓଡ଼ିଶାରେ ୩୭,୬୧୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୪୦୦୦ରୁ ଅଧିକ ଦୁଷ୍କର୍ମ ମାମଲା ରହିଛି, ଯାହା ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ ତାହା ପ୍ରମାଣ କରୁଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରୁ ଆରମ୍ଭ କରି ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ଆବାସିକ ସ୍କୁଲରେ ନାବାଳିକାମାନେ ଗର୍ଭବତୀ ହେବା ଘଟଣା ସାମାଜିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କନ୍ଧମାଳ ବାଲିଗୁଡ଼ାରେ ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ ଓ ଭିଡିଓ ଭାଇରାଲର ଧମକ ଦେବା ଭଳି ଘଟଣା ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି। ବିଜେଡି ପକ୍ଷରୁ ଗତ କିଛି ମାସର ପ୍ରମୁଖ ଘଟଣାଗୁଡ଼ିକୁ ତାଲିକାଭୁକ୍ତ କରାଯାଇଛି:
- ନବରଙ୍ଗପୁର ଓ କୁଚିଣ୍ଡା: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଓ ଗଣଦୁଷ୍କର୍ମ।
- ଭରତପୁର ଥାନା: ପୋଲିସ୍ ହେପାଜତରେ ମହିଳାଙ୍କୁ ଦୁର୍ବ୍ୟବହାର।
- କୋରାପୁଟ, କେନ୍ଦୁଝର ଓ ମାଲକାନଗିରି: ଆଦିବାସୀ ଓ ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ।
- ଛାତ୍ରୀ ନିବାସରେ ଅରାଜକତା: ରାୟଗଡ଼ା, ମୟୂରଭଞ୍ଜ ଓ କନ୍ଧମାଳର ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଏକାଧିକ ଛାତ୍ରୀ ଗର୍ଭବତୀ ହେବା ଘଟଣା ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।
ବିଜେଡି ଅଭିଯୋଗ କରିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିବା ବେଳେ ବର୍ତ୍ତମାନର ସରକାରଙ୍କ ଅବହେଳା ଯୋଗୁଁ ମହିଳାମାନେ ଆତ୍ମାହୁତି ଦେବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ତ ଅମାନବୀୟ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ମହିଳାମାନଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ହେବା ଉଚିତ ବୋଲି ବିବୃତିରେ କୁହାଯାଇଛି।
