ଝଙ୍କଡ଼/ଜଗତସିଂହପୁର: ଝଙ୍କଡ଼ ସାରଳା ପୀଠର ପାରମ୍ପରିକ ଘଟନୃତ୍ୟ ଓ ଘଣ୍ଟବାଦ୍ୟର ଚାହିଦା ଏବେ ଜାତୀୟ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ଶନିବାର ପୂର୍ବାହ୍ନରେ ସୀମାନ୍ତ ରାଜସ୍ଥାନ ପ୍ରଦେଶର ଯୋଧପୁରସ୍ଥିତ ଗାନ୍ଧୀ ମଇଦାନ ପାର୍ଶ୍ୱରେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ଗୁରୁଜୀ ରାଧାକୃଷ୍ଣଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଶ୍ରୀ ଶ୍ରୀ ରାଧାଗୋପାଳ କୁଞ୍ଜ ପଧାରବନୀ ମହୋତ୍ସବ’ ସହ ଶ୍ରୀଜୀଉଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଛି ।
ଗୁରୁଜୀଙ୍କ ଆଶ୍ରିତ ସେବିକା ଅନୁସୂୟା ଦାସଙ୍କ ନିମନ୍ତ୍ରଣ କ୍ରମେ ବିଭିନ୍ନ ରାଜ୍ୟର କଳାକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜୁନାଖେଡାପତି ବାଲାଜୀ ମନ୍ଦିରରୁ ବାହାରିଥିବା ଏକ ବିଶାଳ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଗାନ୍ଧୀ ମଇଦାନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବିଶେଷ ଆକର୍ଷଣ ସାଜିଥିଲେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସାରଳା ପୀଠରୁ ଯାଇଥିବା ୫୦ ଜଣ ସେବାୟତ । ସେମାନଙ୍କ ଦ୍ୱାରା ପରିବେଷିତ ଘଣ୍ଟବାଦ୍ୟର ଘୋର ଘର୍ଘର ଧ୍ୱନିରେ ଯୋଧପୁରର ରାଜରାସ୍ତା ପ୍ରକମ୍ପିତ ହୋଇଉଠିଥିଲା ।

ରାସ୍ତାର ଉଭୟ ପାର୍ଶ୍ୱରେ ସହସ୍ରାଧିକ ନରନାରୀ ପୁଷ୍ପ ବୃଷ୍ଟି ଓ ଅର୍ଘ୍ୟ ଅର୍ପଣ କରି ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଶଗଡ଼ ଉପରେ ନିର୍ମିତ ସୁସଜ୍ଜିତ ବିମାନରେ ଶ୍ରୀଜୀଉଙ୍କ ଦିବ୍ୟ ପ୍ରତିମା ଓ ଗୁରୁ ରାଧାକୃଷ୍ଣଜୀ ମହାରାଜ ବିରାଜମାନ କରିଥିଲେ । ଏହା ସହିତ ଦୁଇ ଦିନ ଧରି ଆୟୋଜିତ ଆଧ୍ୟାତ୍ମିକ ଧର୍ମସଭାରେ ଭାରତବର୍ଷର ବହୁ ସାଧୁସନ୍ଥ ଓ ମହାତ୍ମାମାନେ ଯୋଗଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭଗବତ ପ୍ରେମୀ ଜନସାଧାରଣ ଯୋଗଦେଇ ମନ୍ତ୍ରମୁଗ୍ଧ ହୋଇଥିଲେ ।
