Court 3

ରାଜ୍ୟରେ ୩ ଲକ୍ଷ ୧୧ ହଜାର ୬୯୦ ମାମଲା ଫଏସଲା

ରାଜ୍ୟ
Spread the love

କଟକ: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୩ ଲକ୍ଷ ୧୧ ହଜାର ୬୯୦ ମାମଲାର ଆପୋଷ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।
ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୩,୧୧,୬୯୦ ମାମଲାର ଫଏସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୬୬ କୋଟି ୨୩ ଲକ୍ଷ ୧୩ ହଜାର ୯୨୫ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ଫଏସଲା କରାଯାଇଛି।
ଫଏସଲା ହୋଇଥିବା ବିଚାରାଧୀନ ମାମଲା ଗୁଡିକ ମଧ୍ୟରେ ୩୦୬ଟି ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୨୦ଟି ପ୍ଲି ବାର୍ଗେନିଂ ମାମଲା, ୧୭୯୯ଟି ଚେକ୍ ବାଉନ୍ସ (ଏନଆଇ ଆକ୍ଟର ଧାରା ୧୩୮), ୪୭୧ଟି ଅର୍ଥ ଆଦାୟ (ମନି ରିକଭରି) ମାମଲା, ୯୨୮ଟି ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୯୬୮ଟି କମ୍ପାଉଣ୍ଡେବଲ ଟ୍ରାଫିକ ଚାଲାଣ, ୪୮ଟି ଶ୍ରମ ବିବାଦ, ୬ଟି ବିଦ୍ୟୁତ, ଜଳ ସଂପର୍କିତ ଜନସେବା ମାମଲା, ୪୬୭ଟି ପାରିବାରିକ ଓ ବୈବାହିକ ବିବାଦ, ୨ଟି ଭୂ-ଅର୍ଜନ ମାମଲା, ୮ଟି ଚାକିରି (ପେନସନ ଅନ୍ତର୍ଭୁକ୍ତ) ମାମଲା, ୨୮୧୬୧୨ଟି ରାଜସ୍ବ ଓ ଏ ସଂକ୍ରାନ୍ତୀୟ ଅନ୍ୟ ମାମଲା, ୧୭ଟି ଆଇପିଆର/ଉପଭୋକ୍ତା ବିବାଦ, ୧୫୬୬ଟି ଅନ୍ୟାନ୍ୟ ଦେୱାନୀ, ୧୩୧୬୭ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା, ୭ଟି ଡେବ୍ଟ ରିକଭରି ଟ୍ରିବୁନାଲ(ଡିଆରଟି) ମାମଲା, ୬ଟି ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ମାମଲା, ୩ଟି ଶ୍ରମ ଅଦାଲତ ମାମଲା, ୧୨ଟି ଶିଳ୍ପ ଟ୍ରୁବୁନାଲ ମାମଲା ଅନ୍ତର୍ଭୁକ୍ତ।
ଏହି ମାମଲା ଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫଏସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୧୦ ହଜାର ୨୭୭ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଏସଲା କରାଯାଇଛି। ଜିଲ୍ଲା ଓ ତାଲୁକା ଅଦାଲତ, ଡିଆରଟି, ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ, ଶିଳ୍ପ ଟ୍ରିବୁନାଲ, ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ, ଶ୍ରମ ଅଦାଲତରେ ଟ୍ରିବୁନାଲରେ ବିଚାରାଧୀନ ମାମଲା ମଧୢରୁ ୧୯୮୦୧ଟି, ୨୮୧୬୧୨ଟି ରାଜସ୍ବ ମାମଲା ଆପୋଷ ବୁଝାମଣାରେ ଫଏସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରଧିକରଣ ପକ୍ଷରୁ ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସର ସହିତ ଅନ୍ୟ ଟ୍ରିବୁନାଲ/ଫୋରମରେ ଆଜି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *