ବିଶିଷ୍ଟ ଶିକ୍ଷାବିତ ଓ ନାଟ୍ୟବିତ ପବିତ୍ରମୋହନ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ରାଜ୍ୟ
Spread the love

କଟକ: କଟକ ସଦର ୪୨ ମୌଜା ଅନ୍ତର୍ଗତ କୁଳସରିଚୁଆଁ ନିବାସୀ ବିଶିଷ୍ଟ ଶିକ୍ଷାବିତ, ଦକ୍ଷ ସଂଗଠକ ତଥା ଲୋକପ୍ରିୟ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଭବ୍ୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଖଲର୍ଦାସ୍ଥିତ ପ୍ରଦୀପ ପ୍ୟାଲେସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ସଭା ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଓ ଅତିଥିମାନେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ତାଙ୍କର ସ୍ମୃତି ଚାରଣ କରିଥିଲେ। ଜଣେ ମହାନ ସାହିତ୍ୟିକ, ନାଟ୍ୟକାର, ସମାଜ ସଂସ୍କାରକ ତଥା ସମାଜସେବୀ ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ‘ବୀଣାପାଣି ଷ୍ଟଡି ସର୍କଲ’ ଓ ‘ଗୁରୁ ପବିତ୍ର ମୋହନ ପ୍ରଧାନ ସ୍ମୃତି ସଂସଦ’ର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ସ୍ମରଣିକା “ସ୍ମୃତିରେ ପବିତ୍ର ସାର୍” ଲୋକାର୍ପିତ ହୋଇଥିଲା। ଏହି ପୁସ୍ତକଟି ତାଙ୍କର ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ଥିବା ତାଙ୍କର ନିଷ୍ଠାକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ପ୍ରୟାସ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ତାଙ୍କର ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *