ଝଙ୍କଡରେ ରଜକ ସଙ୍ଘର ୨୧ତମ ବାର୍ଷିକ ବୈଠକ: ତପନ କୁମାର ସେଠୀ ନୂତନ ସଭାପତି ଭାବେ ନିର୍ବାଚିତ

ରାଜ୍ୟ
Spread the love

ଝଙ୍କଡ  : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତର ମୁରାରୀପୁର ଗ୍ରାମଠାରେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ରଜକ ସଙ୍ଘର ୨୧ତମ ବାର୍ଷିକ ‘ଦଶ ମାହାଲି’ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଭିମନ୍ୟୁ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ସେଠୀ ସଭାପତିତ୍ୱ କରିଥିଲେ।

ଏହି ସମ୍ମିଳନୀରେ ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଭାତ କୁମାର ସେଠୀ ଓ ଅରବିନ୍ଦ ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଅଭିମନ୍ୟୁ ସେଠୀ ମଞ୍ଚ ପରିଚାଳନା କରିଥିଲେ। ବୈଠକରେ ରଜକ ସଙ୍ଘର ଏକତା, ସାମାଜିକ ସ୍ଥିତି ଏବଂ ସଙ୍ଘର ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ରଜକ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ପାଇଁ କିଭଳି ଭାବେ ସଙ୍ଘକୁ ଆହୁରି ସୁଦୃଢ଼ ଓ ସଂଗଠିତ କରାଯାଇପାରିବ, ସେ ନେଇ ଉପସ୍ଥିତ କର୍ମକର୍ତ୍ତାମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରଜକ ସଙ୍ଘର ନୂତନ ସଭାପତି ଭାବେ ତପନ କୁମାର ସେଠୀଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ନବ ନିର୍ବାଚିତ ସଭାପତି ଶ୍ରୀ ସେଠୀ ସଙ୍ଘର ଶୃଙ୍ଖଳା ଓ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ନିଜର ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଉଭୟ ଜିଲ୍ଲାର ବହୁ ସଂଖ୍ୟକ ସଂଘୀୟ କର୍ମକର୍ତ୍ତା ଓ ଜାତିର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *