ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖସ୍ଥ, କନକପୁର ବଜାର ପଡିଆରେ ଗତ ଶନିବାର ଦିନ ସନ୍ଧ୍ୟାରେ, ସାରଳାମଣ୍ଡଳ ଭାଗବତ ଭକ୍ତସମାଜ ଆନୁକୂଲ୍ୟରେ, ଦୀର୍ଘ ଏକସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ୨୦୨୬ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି ।
ଏହି ଉପଲକ୍ଷେ ପ୍ରାତଃ ସମୟରେ ନାମସଂକୀର୍ତ୍ତନ ମାଆଙ୍କ ବେଢା ପରିକ୍ରମା କରିଥିଲା । ପରେ ବ୍ୟାସ ପଣ୍ଡିତ ବିଶ୍ୱନାଥ ଶତପଥୀ ଓ ଉପବ୍ୟାସ ସନ୍ଥ ଖିଲାରନାଥ ପୁରୀ ଅତିବଡ଼ି ଜଗନ୍ନାଥ ଦାସ ଙ୍କ ବିରଚିତ ଶ୍ରୀମଦ ଭାଗବତ ପାରାୟଣ କରିଥିଲେ । ସାନ୍ଧ୍ୟକାଳୀନ ଜ୍ଞାନଯଜ୍ଞ ମହୋତ୍ସବ କୁ ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।
ପଣ୍ଡିତ ଦେବୀ ପ୍ରସାଦ ତ୍ରିପାଠୀ ମଞ୍ଚସଂଚାଳନ କରିଥିବାବେଳେ ଧାରାବାହିକ ପ୍ରବଚକ ବାବାଜୀ ନୀଳାଚଳ ଦାସ ମହାରାଜ, ଭାଗବତମାହାତ୍ମ୍ୟ ଉପରେ ଦିବ୍ୟପ୍ରବଚନ ପ୍ରଦାନ କରିଥିଲେ । ସାରଳା ମନ୍ଦିରର ବରିଷ୍ଠ ସେବାୟତ ସାରଦା ପ୍ରସାଦ ରାଉଳ ମଞ୍ଚାସିନ ଅତିଥିମାନଙ୍କୁ ମାଆଙ୍କ ଆଶୀର୍ବାଦ ମାଲ୍ୟାର୍ପଣ କରିଥିଲେ । ଭୀମସେନ ମଣ୍ଡଳ, ବିନୋଦ ଭଞ୍ଜ ଓ ଦେବେନ୍ଦ୍ର ବାରିକ ବାଦ୍ୟସଙ୍ଗୀତ ପରିଚାଳନା କରିଥିଲେ ।
ଏହି ଉପଲକ୍ଷେ ଅପରାହ୍ନ ପାଞ୍ଚଟା ରୁ ସାତଟା ପର୍ଯ୍ୟନ୍ତ ମାଆଙ୍କ ସେବାୟତ ନୃସିଂହ ଚରଣ ରାଉଳ ଓ ଅନୁଷ୍ଠାନର କର୍ମକର୍ତ୍ତା ବିଶ୍ୱରଞ୍ଜନ ରାଉଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ, ପୁରୀଜିଲ୍ଲା ନିମାପଡା ର ବିରୁପାକ୍ଷ୍ୟ ଦୃଷ୍ଟିହୀନ ଭଜନ ସନ୍ଧ୍ୟା ର ପ୍ରଯୋଜିକା ସୁମିତ୍ରା ଦାସ, ଙ୍କ ପରିଚାଳନା ରେ ଦୀପକ ସାହୁ, ନନ୍ଦନ କୁମାର ଦାସ, ରୋଶନ ସାମଲ, ସୋନାଲି ପ୍ରମୁଖ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ ।
ବିକ୍ରମ ନାୟକ, ଵିଷ୍ଣୁଦାସ ଓ ଦିଲ୍ଲୀପ କୁମାର ନାୟକ ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ । ମାଆଙ୍କ ରାତ୍ରୀ ଚାପଖେଳ ଓ ପଟୁଆର ସରିବା ପର୍ଯ୍ୟନ୍ତ ପ୍ରବଚନକାର୍ଯ୍ୟକ୍ରମ ଚାଲିଥିବା ବେଳେ ବହୁ ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣୀ ପଣ୍ଡିତ ଓ ଭଗବତପ୍ରେମୀ ଜନସାଧାରଣ ଏଥିରେ ଉପସ୍ଥିତରହି ଭଗବତକୃପା ଲାଭ କରିଥିଲେ ।
