କନ୍ଧମାଳ/ଚାରିପଡ଼ା : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚାରିପଡ଼ାଠାରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ (ଟାଡିସରୁ ବାଈ)ଙ୍କ ୫୬ତମ ସିଦ୍ଧି ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।


ଏହି ଅବସରରେ ପୂର୍ଣ୍ଣମାସୀ ଜାନୀଙ୍କ ‘ଟାଡିସରୁ କୁଟୀର’ଠାରେ ଅନେକ ଭକ୍ତ ତଥା ସ୍ଥାନୀୟ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପ୍ରଥମେ ଭକ୍ତମାନଙ୍କ ଦ୍ୱାରା ଗୁରୁବନ୍ଦନା ଏବଂ ଭଜନ ପରିବେଷଣ କରାଯାଇଥିଲା। ପରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ମଞ୍ଚାସୀନ ହୋଇ ଉପସ୍ଥିତ ଭକ୍ତଗଣଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆଶୀର୍ବାଦ ପର୍ବ ପରେ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।
ଉକ୍ତ ଉତ୍ସବରେ ଡାକ୍ତର ବନୋଜ କୁମାର ରାୟ, ପଙ୍କଜ କୁମାର ପ୍ରଧାନ ଓ ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସଭାର ପ୍ରାରମ୍ଭରେ ଡାକ୍ତର ବନୋଜ କୁମାର ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ପବିତ୍ର ଦିବସ ଉପଲକ୍ଷେ ‘ଟାଡିସରୁ ମିଶନ’ ପକ୍ଷରୁ ଶ୍ରୀମଦ୍ ଭାଗବତ ପାଠ କରାଯିବା ସହ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଭାଗବତ ପୁସ୍ତକ ବଣ୍ଟନ କରାଯାଇଥିଲା।
ଶେଷରେ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଭକ୍ତିଗୀତ ତଥା ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ଆଧ୍ୟାତ୍ମିକ ପରିବେଶର ଆନନ୍ଦ ଉଠାଇଥିଲେ।
