କଙ୍କାଳ କାନ୍ଧେଇ ସମାଜରୁ ହୋଇଥିଲେ ବାସନ୍ଦ, ଶୁଦ୍ଧି ହୋଇ ପୁଣି ସାମିଲ ହେଲେ ଜିତୁ ମୁଣ୍ଡା

ରାଜ୍ୟ
Spread the love

ନୂଆଦିଲ୍ଲୀ: କଙ୍କାଳ କାନ୍ଧେଇବାର ଦଣ୍ଡ। ସମାଜରୁ ମିଳିଥିଲା ବହିଷ୍କାର। ଶେଷରେ ଶୁଦ୍ଧି ହୋଇ ପବିତ୍ର ହେଲେ ଜିତୁ ମୁଣ୍ଡା। ବିଧି ଅନୁଯାୟୀ ଜିତୁ ମୁଣ୍ଡା ହଳଦୀ ଭାତ, ତେଲ ଦେଇ ସାସାନ୍ଦ୍ରରେ କାଲାରା, ବାପା ଓ ମାଆଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ଭଉଣୀଙ୍କୁ ହାତ ଯୋଡି ଭୁଲ୍ ମାଗିଛନ୍ତି। ସମାଧି ପାଖରେ ଠିଆ ହୋଇ ବଡ଼ ଭଉଣୀଙ୍କୁ ମନେ ପକାଇ କାନ୍ଦି ପକାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଟଙ୍କା କଣ ହେବ ବରଂ ଭଉଣୀ ବଞ୍ଚିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଜିତୁ। ଭଉଣୀର ସ୍ନେହକୁ ମନେ ପକାଉଛନ୍ତି।

ତେବେ ସେଦିନ ଜିତୁଙ୍କ କାନ୍ଧରେ କଙ୍କାଳ ଥିଲା ଆଉ ବ୍ୟବସ୍ଥା ନିଦରେ। କିନ୍ତୁ ଆଜି ଉଭୟ ସରକାର ଓ ସମାଜ ମୁଣ୍ଡ ନୁଆଁଇଛନ୍ତି ଜିତୁଙ୍କ ଆଗରେ। ତେଣୁ କୁକୁଡ଼ା- ଛେଳି ରକ୍ତରେ ସେଇ ଦଣ୍ଡରୁ ମୁକ୍ତି ଦେଇଛି ‘ହୋ’ ସମାଜ। ଆଜି ସେଇ ଜିତୁଙ୍କ ଭଉଣୀ କାଲାରା ମୁଣ୍ଡାଙ୍କ ଦୁଲସୁନୁମ୍ ଅର୍ଥାତ୍ ଦଶାହରେ ଏହି ସବୁ ବିଧି ଶେଷ ହୋଇଛି।

ସେପଟେ ଏହି ଅବସରରେ ଜିତୁ ମୁଣ୍ଡାଙ୍କୁ ଭେଟିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ ଜିତୁ ମୁଣ୍ଡା, ତାଙ୍କ ପରିବାର ଓ ଗାଁ ଲୋକଙ୍କ ସହ କିଛି ସମୟ ମଧ୍ୟ ବିତାଇଛନ୍ତି। ସେ ନିଜେ ହୋ ସମ୍ପ୍ରଦାୟର ଜଣେ ନାଗରିକ। ଜିତୁଙ୍କ ସହ ହୋ ଭାଷାରେ କଥା ହୋଇ ତାଙ୍କ ଦୁଃଖ କଥା ଶୁଣିଥିଲେ। ଭବିଷ୍ୟତରେ ଏଭଳି ସମ୍ବେଦନଶୀଳ ଘଟଣା ନଘଟିବ ସେଥିପାଇଁ ମୋହନ ସରକାର ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ଏହା ସହ ସେ ସ୍ଥାନୀୟ ଅଧିକାରୀ ଓ ନେତୃବୃନ୍ଦଙ୍କୁ ପ୍ରତ୍ୟେକ ଗ୍ରାମବାସୀଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି ଜିତୁଙ୍କୁ ଏଭଳି କାର୍ଯ୍ୟ କରିବା ପାଇଁ କିଏ ପ୍ରେରିତ କରିଛି ତାକୁ ଖୋଜି ବାହାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ସେହିଭଳି ଜିତୁଙ୍କ ଗରିବୀ ପାଇଁ କ’ଣ ପୂର୍ବ ସରକାର ଦାୟୀ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ?

ତେବେ କଙ୍କାଳ କାନ୍ଧେଇଲା ବୋଲି ସମାଜ ଆଖିରେ ଅପବିତ୍ର ହେଲା ଜିତୁ। ସରକାର ବଦନାମ ହେଲେ। କିନ୍ତୁ ପ୍ରଶ୍ନ ଜିତୁଙ୍କୁ ଅପବିତ୍ର କଲା କିଏ ? ସେ ନିଜେ ନା ଏଇ ନିଷ୍ଠୁର ଶାସନ ବ୍ୟବସ୍ଥା ? ୫୦୦ ଟଙ୍କା ପେନସନ୍ ପାଇଁ ଭଉଣୀର ହାଡ଼ ଧରି ବ୍ୟାଙ୍କ ଗଲା ଭାଇ। ଦୁନିଆ ଏବେ ୧୫ ଲକ୍ଷ ଦେଲା । ଅଭାବ ନାହିଁ। ଜିତୁଙ୍କ ପାଇଁ ବ୍ୟବସ୍ଥା ବଦଳିବ ନା ନିଜେ ଜିତୁ ବଦଳିଯିବେ ଭବିଷ୍ୟତ କହିବ।

Leave a Reply

Your email address will not be published. Required fields are marked *