ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଗୁଡ଼ିକୁ ଚିହ୍ନଟ କରାଯାଇ, ଏହାର ପୁନଃ ବନ୍ଦୋବସ୍ତ ହେବ। ବର୍ଷବର୍ଷ ଧରି ଜମି ଅଧିକାର କରିରଖିଥିବା ସେବକ, ନିୟୋଗ ଓ ଅଣସେବକଙ୍କୁ ଚିହ୍ନଟ କରାଯିବ। ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଥଇଥାନ କରାଯିବ। ଜମିରୁ ଜବରଦଖଲ ମଧ୍ୟ ହଟାଯିବ।
ଗୁରୁବାର, ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଥିବା ୟୁନିଫର୍ମ ସେଟେଲମେଣ୍ଟ ପଲିସି ୨୦୦୩ରେ ଆବଶ୍ୟକ ସଂଶୋଧନ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ଉପଯୁକ୍ତ ବନ୍ଦୋବସ୍ତ ଜରିଆରେ ସମସ୍ତଙ୍କୁ ଥଇଥାନ କରିବା ନେଇ ଆଲୋଚନା ହୋଇଥିଲା।
ଶ୍ରୀଜଗନ୍ନାଥଙ୍କ ନମରେ ଥିବା ଜମିରେ ଦୀର୍ଘଦିନ ହେବ ବସବାସ କରୁଥିବା ସେବକ, ନିଯୋଗ, ଅଣସେବକ ଏବଂ ମଠଗୁଡ଼ିକୁ କିପରି ଉପଯୁକ୍ତ ବନ୍ଦୋବସ୍ତ କରାଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା । ଏଥି ସହିତ ଜଗନ୍ନାଥଙ୍କ ଜମିକୁ ଅସଦ ଉପାୟରେ ଜବରଦଖଲ ନେଇ ତଦନ୍ତ ହେବା ସହ ଆବଶ୍ୟକ ସ୍ଥଳେ ଏହାକୁ ନିଲାମ ପ୍ରକ୍ରିୟାରେ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ଏହି ପ୍ରକ୍ରିୟା ଫଳରେ ଦୀର୍ଘଦିନ ଧରି ବସବାସ କରୁଥିବା ସେବକ-ନିଯୋଗମାନେ ବସବାସ କରୁଥିବା ଜମିରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ। ଏଥି ସହିତ ଜବରଦଖଲରେ ଥିବା ଜମିରୁ ସର୍ବାଧିକ ମୂଲ୍ୟ ଜରିଆରେ ଆଦାୟ ଅର୍ଥ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପାଣ୍ଠିକୁ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଏହି ବୈଠକରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ କୁମାର ପାଢ଼ୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ ପବିତ୍ର ମୋହନ ସାମଲ, ଦେବୋତ୍ତର ଆୟୁକ୍ତ ସତ୍ୟ ନାରାୟଣ ଷଡ଼ଙ୍ଗୀ ଏବଂ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
