ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତି ପ୍ରସଂଗ ନେଇ ଜନସ୍ବାର୍ଥ ମାମଲା: ନୋଟିସ୍ ଜାରି କଲେ ହାଇକୋର୍ଟ

ରାଜ୍ୟ
Spread the love

କଟକ: ୟୁଜିସି ଦ୍ବାରା ପ୍ରଣୀତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀ, ୨୦୨୩ର ଧାରା ୬ ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳଙ୍କୁ ନିଯୁକ୍ତି ଦିଆଯିବା ପ୍ରସଂଗକୁ ନେଇ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ହାଇକୋର୍ଟ ମାମଲାର ଶୁଣାଣି କରି ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ (ରେଜିଷ୍ଟ୍ରାର)ଙ୍କୁ ନୋଟିସ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଛାତ୍ରଛାତ୍ରୀଙ୍କ ନାମଲେଖା ଠାରୁ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଅଭିଯୋଗର ସମାଧାନ ପାଇଁ ୟୁଜିସି ଦ୍ୱାରା ପ୍ରଣୀତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀର ଧାରା ୫ ଅନୁସାରେ ଏକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବାର ବ୍ୟବସ୍ଥା ରହିଛି। ଏହି କମିଟିର ନିଷ୍ପତ୍ତି ବିରୋଧରେ ଅପିଲ ଶୁଣାଣି କରିବାକୁ ଧାରା ୬ ଅନୁସାରେ ବିଶ୍ବବିଦ୍ୟାଳୟରେ ଜଣେ ଲୋକପାଳ ନିଯୁକ୍ତ ହେବାର ପ୍ରାବଧାନ ରହିଛି। ଜଣେ ପୂର୍ବତନ କୁଳପତି କିମ୍ବା ଦଶବର୍ଷର ଅଭିଜ୍ଞତା ଥିବା ପ୍ରଫେସର ତଥା ଜଣେ ଅବସରପ୍ରାପ୍ତ ଜିଲ୍ଲାଜଜ୍ ଏହି ପଦରେ ତିନିବର୍ଷ ବା ୭୦ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତି ପାଇ କାର୍ଯ୍ୟ କରିବାର ଆଇନଗତ ବ୍ୟବସ୍ଥା ରହିଛି।
କିନ୍ତୁ ୨୦୨୩ ମସିହା ମେ ମାସରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତ ହୋଇନାହାନ୍ତି। ୨୦୨୫, ଫେବ୍ରୁଆରି ୬ରେ ଝାଡ଼ଖଣ୍ଡ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ଲୋକପାଳ ଭାବେ ନିଯୁକ୍ତି ପାଇଁ ଆଦେଶ ଜାରି ହୋଇଥିଲା। କିନ୍ତୁ ସେ ଜାତୀୟ ମାନବାଧିକାର କମିସନର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଫଳରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ପଦ ପୂରଣ ହୋଇ ପାରି ନଥିଲା ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। କିନ୍ତୁ ତାପରେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୋକପାଳ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ କରି ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *