ଶେଷହେଲା ଝଙ୍କଡ଼ ସାରଳାଙ୍କ ୨୧ ଦିନବ୍ୟାପି ଚନ୍ଦନ ଯାତ୍ରା, ଲଟାଭଉଁରୀ ଚାପଖେଳ ଦର୍ଶନକଲେ ଶ୍ରଦ୍ଧାଳୁଭକ୍ତ

ରାଜ୍ୟ
Spread the love

ଝଙ୍କଡ଼ : ପବିତ୍ର ଅକ୍ଷୟତୃତୀୟା ଠାରୁ, ଆରମ୍ଭ ହୋଇଥିବା ଦୀର୍ଘ ଏକୋଇଶିଦିନ ବ୍ୟାପି ଚନ୍ଦନଯାତ୍ରା ଓ ଚାପଖେଳ ଗତ ଦଶତାରିଖ ରବିବାର ଦିନ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କୁ ଏହିଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ ବଡ଼ସିଂହାର ସମୟରେ ମାଆଙ୍କ ବଡ଼ପଣ୍ଡା ସିଂହାସନ ଉପରେ ମାଆଙ୍କୁ ଚନ୍ଦନ ଲାଗି କରିବାବେଳେ, ଚାମର, ଆଲଟ ପଡୁଥିବାବେଳେ ସେବାୟତ ମାନେ ପଖାଉଜ, ଝାଞ୍ଜ, ଗିନି ବଜାଇ ସେବାଗୀତି ଗାନ କରିଥିଲେ l ସ୍ୱତନ୍ତ୍ରନୀତି ଭାବରେ ମାଆଙ୍କୁ ପ୍ରୀତି ଅନ୍ନ ନୈବେଦ୍ୟ ଅର୍ପଣ କରାଯିବା ପରେ, ଏକ ବର୍ଣ୍ଣା ଢ୍ୟ ଶୋଭାଯାତ୍ରା ରେ ବେଢାପରିକ୍ରମା କରାଯାଇ, ସୁସଜ୍ଜିତ ମଣିମୟବିମାନ ଆରୋହଣ କରାଯାଇ, ଚାପଡ଼ଙ୍ଗା ରେ ବିଜେ କରି ଚାପଖେଳ କରାଯାଏ l

ଚନ୍ଦନପୁଷ୍କରିଣୀ ମଝିରେ ଥିବା କୁଣ୍ଡିମନ୍ଦିର ରେ ସୁବାସିତ ଜଳରେ, ମାଆଙ୍କ ଚଳନ୍ତିପ୍ରତିମା ଜଳଶାୟୀ କରାଯାଇଥିଲା l ଅପରାହ୍ନରେ ମାର୍ଜ୍ଜନା, ଅଭିନଵବେଶରେ ମାଆଙ୍କୁ ସଜ୍ଜିତ କରାଯିବା ପରେ ସନ୍ଧ୍ୟାଆରତୀ ଓ ତାଟଭୋଗ ପୂଜା ପରେ ପୁନଃଶ୍ଚ ରାତ୍ରୀ ଚାପଖେଳ ସାରି, ପଟୁଆର ମଧ୍ୟରେ ଫେରିବାବେଳେ, ମନ୍ଦିରବେଢା ରେ ଥିବା ବୃନ୍ଦାବତୀମଣ୍ଡପ ରେ କିଛିସମୟ ପାଇଁ ଅବସ୍ଥାନ କରାଯାଇଥିଲା, ଏହି ଅବସରରେ ମାଆଙ୍କ ସମ୍ମୁଖରେ ଶାସ୍ତ୍ରୀୟ ଓଡିଶୀନୃତ୍ୟ ଓ ଗୋଟିପୁଅ ନାଚ ପରିବେଷଣ ପରେ ମାଆ ସ୍ଵସ୍ଥାନ କୁ ବିଜେ କରିବାପରେ ବୈଷ୍ଣବମାନଙ୍କ ଦ୍ୱାରା ଗୀତିଗୋବିନ୍ଦ ଗାନ କରାଯାଇ, ସେବକ ପାଳିଆ ଙ୍କ ଦ୍ୱାରା ପରିଛା ଙ୍କୁ ମାଲ୍ୟାର୍ପଣ କରାଯାଇଥିଲା l

ତେବେ ଶେଷଚନ୍ଦନ ଯାତ୍ରା ର ଚାପଖେଳ ସ୍ୱତନ୍ତ୍ରତା ହେଉଛି, ଲଟାଭଉଁରୀ l ପୃଥିବୀଯେପରି ସୂର୍ଯ୍ୟଙ୍କୁ କେନ୍ଦ୍ରକରି, ନିଜମେରୁଦଣ୍ଡ ର ଚତୁଃ ପାର୍ଶ୍ୱରେ ଘୁରିଥାଏ, ଠିକ ସେହିପରି, ଚନ୍ଦନକୁଣ୍ଡି ମନ୍ଦିର କୁ କେନ୍ଦ୍ରକରି ମାଆଙ୍କ ଲଟାଭଉଁରୀ ଚାପଖେଳ ର ଚମକ୍ତାରିତା ଦର୍ଶନ କରିବାପାଇଁ ଚନ୍ଦନପୋଖରୀ ଚତୁଃପାର୍ଶ୍ୱରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା l

Leave a Reply

Your email address will not be published. Required fields are marked *