ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ଐତିହାସିକ ସମାରୋହରେ ଲୋକପ୍ରିୟ ଅଭିନେତା ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଶେଷ କଥା ହେଉଛି, ୧୯୭୬ ମସିହା ପରେ ବିଜୟ ପ୍ରଥମ ଅଣ-ଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ବିଜୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ ସେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାକୁ ବଡ଼ ଘୋଷଣା କରିଛନ୍ତି। ଏହାସହ ମହିଳାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଏକ ‘ସ୍ପେଶାଲ ଫୋର୍ସ’ ଗଠନ ପାଇଁ ସେ ପ୍ରଥମ ଫାଇଲରେ ସ୍ୱାକ୍ଷର କରିଛନ୍ତି।
ରାଜ୍ୟରୁ ନିଶା କାରବାର ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ‘ନିଶା ନିବାରଣ ଟାସ୍କ ଫୋର୍ସ’ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ଆଣ୍ଟି ଡ୍ରଗ୍ ୟୁନିଟ୍’ କାର୍ଯ୍ୟ କରିବ, ଯାହା ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବାରେ ସହାୟକ ହେବ।
ବିଜୟଙ୍କ ଏହି ବୈପ୍ଳବିକ ନିଷ୍ପତ୍ତି ଏବଂ ତାଙ୍କର ଏହି ନୂତନ ରାଜନୈତିକ ଯାତ୍ରାକୁ ନେଇ ସାରା ରାଜ୍ୟରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।
