ଝାଞ୍ଜି ଖରାରୁ ଆଶ୍ୱସ୍ତି: ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାରମ୍ପରିକ “ଗୁଡ଼ ପଣା” ବଣ୍ଟନ

ରାଜ୍ୟ
Spread the love

କେନ୍ଦ୍ରାପଡ଼ା: ଓଡ଼ିଶାର ମାଟି, ସଂସ୍କୃତି ଓ ପରମ୍ପରା ଅତ୍ୟନ୍ତ ଅନନ୍ୟ। ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାଧାରଣ ଜନତାଙ୍କ ସମେତ ପଶୁପକ୍ଷୀ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଏହି ପ୍ରଚଣ୍ଡ ରୌଦ୍ରତାପରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମହତ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ରାସ୍ତାରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ବଣ୍ଟନ କରାଯାଉଛି। ଏଥିରେ ଆମ୍ବ ରସ, ସପୁରି ରସ, ବେଲ ପଣା, ପାନମଧୁରୀ ଶରବତ, ପୁଦିନା ପାଣି ଓ ଲେମ୍ବୁ ପାଣି ଆଦି ପଥିକମାନଙ୍କୁ ପରଷା ଯାଉଛି। ଏହି କାର୍ଯ୍ୟକ୍ରମ ଆଗାମୀ ଦୁଇ ମାସ ଧରି ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। କେବଳ ମଣିଷ ନୁହେଁ, ବରଂ ନିରୀହ ପଶୁମାନଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ପାଞ୍ଚ ଗୋଟି ଜଳକୁଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆଜି ପବିତ୍ର ବୃଷ ସଂକ୍ରାନ୍ତି ଅବସରରେ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାର ପାରମ୍ପରିକ “ଗୁଡ଼ ପଣା” ବଣ୍ଟନ କରାଯାଇଥିଲା। ଗୁଡ଼, ନଡ଼ିଆ, ପାନମଧୁରୀ, ଗୁଜୁରାତି, ଲୁଣ, ବରଫ ଓ ଗୋଲମରିଚର ମିଶ୍ରଣରେ ପ୍ରସ୍ତୁତ ଏହି ପଣା ଗ୍ରୀଷ୍ମ ସମୟରେ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ। ପଣା ପିଇବା ପରେ ଅନେକ ବୃଦ୍ଧବୃଦ୍ଧା ଟ୍ରଷ୍ଟର ଏହି ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ କର୍ମକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ମୁଖପାତ୍ର ପ୍ରମୋଦ ନାୟକ, ସୁରେନ୍ଦ୍ରନାଥ ଶତପଥି, ଗୌରାଙ୍ଗ ନାୟକ, ରଞ୍ଜନ ସାହୁ, ଯୋଗେନ୍ଦ୍ର ଜେନା, ଜଗବନ୍ଧୁ ଦାସ, କୁନି ସେବକ ସୌମ୍ୟ ରଞ୍ଜନ ପୃଷ୍ଟି ଓ ହରିଚନ୍ଦନ କର ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *