Cyber Crime 1 750x430

ସାଇବର ଅପରାଧୀମାନେ ହେଉଛନ୍ତି ସମାଜର ‘ପରଜୀବୀ’, ସେମାନଙ୍କୁ ଜେଲ୍ ଭିତରେ ରଖିବା ଜରୁରୀ: ସୁପ୍ରିମକୋର୍ଟ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଜାଲିଆତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏକ ସାଇବର ନିବେଶ ଠକେଇ ମାମଲାରେ ସଂପୃକ୍ତ ଅଭିଯୁକ୍ତର ଜାମିନ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବା ସହ ସାଇବର ଅପରାଧୀମାନେ ହେଉଛନ୍ତି ସମାଜର ‘ପରଜୀବୀ’ ଏବଂ ସେମାନଙ୍କୁ ଜେଲ୍ କୋଠରୀ ଭିତରେ ରଖିବା ଦ୍ୱାରା ହିଁ ସମାଜର ସର୍ବୋତ୍ତମ ହିତ ସାଧନ ହୋଇପାରିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ମୌଖିକ ଭାବେ କଠୋର ଟିପ୍ପଣୀ ଦେଇଛନ୍ତି।
ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ଅପରାଧୀମାନେ ନିରୀହ ନାଗରିକଙ୍କୁ ଲୁଟ୍ କରୁଛନ୍ତି ଏବଂ ଏମାନଙ୍କ କାର୍ଯ୍ୟକଳାପ ସମଗ୍ର ଭାରତରେ ବ୍ୟାପିଛି। ତେଣୁ ସାଇବର ଅପରାଧୀଙ୍କ ବିରୋଧରେ ଆଇନକୁ ଆହୁରି ଅଧିକ କଠୋର କରିବାର ଆବଶ୍ୟକତା ରହିଛି। ସର୍ବୋଚ୍ଚ ଅଦାଲତରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, କେବଳ ଗତ ବର୍ଷ ଶେଷ ସୁଦ୍ଧା ଡିଜିଟାଲ ଜାଲିଆତି ଯୋଗୁଁ ଭାରତୀୟମାନେ ୩,୦୦୦ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।
ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏନସିଆରବି)ର ସେଶେଷ ତଥ୍ୟ ଅନୁସାରେ, ୨୦୨୧ ରୁ ୨୦୨୩ ମଧ୍ୟରେ ଦେଶରେ ସାଇବର ଅପରାଧ ମାମଲା ପ୍ରାୟ ୬୩ ପ୍ରତିଶତ ବୃଦ୍ଧି ପାଇ ୮୬,୦୦୦ ରୁ ଅଧିକ ହୋଇଛି, ଯେଉଁଥିରେ କର୍ଣ୍ଣାଟକ ଶୀର୍ଷରେ ଥିବା ବେଳେ ଏହା ପଛକୁ ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ରହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ‘ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର’ ବାରମ୍ବାର ଚେତାବନୀ ଦେଇଛି ଯେ, ଏହି ସଂଗଠିତ ଅପରାଧୀମାନେ ନକଲି ନିବେଶ, ଡିଜିଟାଲ ଆରେଷ୍ଟ, କ୍ରିପ୍ଟୋକରେନ୍ସି ଓ ଅନଲାଇନ୍ ଟ୍ରେଡିଂ ଜାଲିଆତି ପାଇଁ ‘ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ’ ଏବଂ ବିଦେଶୀ ଡିଜିଟାଲ ଭିତ୍ତିଭୂମିର ବ୍ୟବହାର କରୁଛନ୍ତି, ଯାହାଫଳରେ ଆଇନ ପ୍ରୟୋଗକାରୀ ସଂସ୍ଥାଗୁଡ଼ିକ ଏମାନଙ୍କୁ ଧରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *