ମୋବାଇଲ ଫୋନ୍ ଆଲୁଅରେ ଫୋଡ଼ା ହେଲା ସାଲାଇନ୍, ଇଞ୍ଜେକସନ୍

ରାଜ୍ୟ
Spread the love

ଜଗତସିଂହପୁର: ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ହଠାତ୍ ଜଗତସିଂହପୁରଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧା ଅନ୍ଧାର ହୋଇଗଲା। ଅନ୍ଧାରରେ ରୋଗୀ ସେବା ଚାଲିଲା। ସାଲାଇନ୍, ଇଞ୍ଜେକସନ୍ ବି ଫୋଡ଼ା ହେଲା। ପ୍ରାୟ ଘଣ୍ଟାଏ କାଳ ଧରି ଏମିତି ଚିକିତ୍ସା ଚାଲିଥିଲା। ଗରମ, ଗୁଳୁଗୁଳିରେ ସନ୍ତୁଳି ହୋଇ ଯାଇଥିଲେ ରୋଗୀ। ଘଣ୍ଟାଏ ପରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା। କିନ୍ତୁ ଯଦି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୁଏ ତାହେଲେ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଜଗତସିଂହପୁରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇଥିଲା। ବଜ୍ରପାତ ଓ ପବନରେ ଅର୍ଦ୍ଧାଧିକ ଅଞ୍ଚଳ ଅନ୍ଧାର ହୋଇ ଯାଇଥିଲା। ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧା ଅନ୍ଧାର ହୋଇ ଯାଇଥିଲା। ମହିଳା ଓ ପୁରୁଷ ମେଡିସିନ୍ ଓ୍ବାର୍ଡ , ଡାଇରିଆ ଓ୍ବାର୍ଡ, ଟିକେଟ କାଉଣ୍ଟର, ନିଦାନ କେନ୍ଦ୍ର, ଶବାଗାରରୁ ମଧ୍ୟ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା। ମେଡିସିନ୍ ଓ୍ବାର୍ଡ, ଡାଇରିଆ ଓ୍ବାର୍ଡରେ ମୋବାଇଲ ଫୋନ୍ ଆଲୁଅରେ ସାଲାଇନ୍ ଓ ଇଞ୍ଜେକସନ୍ ଦିଆ ଯାଇଥିବା ଦେଖିବାକୁ ମିଳିଥିବା।

ଜଣାପଡ଼ିଥିଲା, ବଜ୍ରପାତରେ ଜେନେରେଟର କ୍ଷତିଗ୍ରସ୍ତ ହୋଇ ଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ବେଳେ ଚାଲି ନ ଥିଲା। ଯାହାଫଳରେ ଅନ୍ଧାର ହୋଇ ଯାଇଥିଲା। ଯଦି ପୁଣି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୁଏ ତାହେଲେ ଅନ୍ଧାର ହୋଇଯିବ ବୋଲି ଜଣାପଡ଼ିଛି। ଜେନେରେଟର ମରାମତି ହେବା ପରେ ଯାହା କିଛି ହେବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଅବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିକ ବ୍ୟବସ୍ଥା କାହିଁକି କରାଯାଉ ନାହିଁ ତାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *