ସ୍ନାନବେଦୀରୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଜ୍ୟ
Spread the love

ପୁରୀ : ଜଗତ ସାଆନ୍ତ ସ୍ନାନବେଦୀକୁ ଆସିଛନ୍ତି। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଲୀଳାଖେଳା କରିଛନ୍ତି। ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରିଛନ୍ତି ଭକ୍ତ। ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇ କୃତାର୍ଥ କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି। ଭକ୍ତମାନେ ହାତୀବେଶ ଦର୍ଶନ କରି ନିଜକୁ ଧନ୍ୟମନେ କରୁଛନ୍ତି। ଭଗବାନଙ୍କ ଅତି ପ୍ରିୟ ଭକ୍ତମାନଙ୍କର ଆଖିରୁ ଆନନ୍ଦାଶ୍ରୁ ଝରିପଡୁଛି। ମହାପ୍ରଭୁଙ୍କର ଏହି ଦିବ୍ୟବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିବର୍ତ୍ତନ ହୋଇଛି। ବଡ଼ଦାଣ୍ଡ‌ରେ ଲୋକାରଣ୍ୟ ପରିବେଶ ସୃଷ୍ଟି ହୋଇଛି।
ମହାବାହୁ ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ୍‌ ଛକରୁ ଛାମୁଡିଆ ସହ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ଆଜି ଭୋର୍‌ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ୨୯ ସୁଦ୍ଧା ଶେଷ ହୋଇଥିଲା। ମହାପ୍ରଭୁ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜମାନ କରିଥିଲେ। ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହୋଇଥିଲା। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରାପହଁରା ପାଇଁ ବିଜେ କରିଥିଲେ। ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରାପହଁରା କରିଥିଲେ ଏହା ପରେ ହାତୀବେଶ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *