ଏନ୍ଆଇଟିରୁ କଟାଯିବ ଆହୁରି ୨ ହଜାର ଗଛ, କୋର୍ଟରେ ମାମଲା

ରାଜ୍ୟ
Spread the love

ରାଉର‌କେଲା:  ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି) ପରିସରରୁ ୧୮୭୨ ଗଛ କାଟିବା ମାମଲା ଏବେ କୋର୍ଟରେ ପହଞ୍ଚିଛି। ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଜୁଲାଇ ୭ରେ ୧୧ ଜଣ ବନ ବିଭାଗ ଓ ଏନ୍‌ଆଇଟିର ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି।

ଏନ୍ଆଇଟି କର୍ତ୍ତୃପକ୍ଷ ଓ ରାଉରକେଲା ବନବିଭାଗ ଏଭଳି ନିଷ୍ପତ୍ତି ବିରୋଧରେ ତିନି ଆଇନଜୀବୀ ବଶିଷ୍ଟ ରାୟ, ଆର୍‌.କେ. ସିଂହ ଓ ଶ୍ରୀକାନ୍ତ କୁମାର ପ୍ରଧାନ ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ରେ ମାମଲା ଦାୟର କରିଛନ୍ତି। ଏନ୍ଆଇଟିର ନିର୍ଦେଶକ ଓ କୁଳସଚିବ, ରାଉରକେଲା ବନଖଣ୍ଡ ଅଧିକାରୀ, ରାଜ୍ୟ ପରିବେଶ ବିଭାଗ ପ୍ରମୁଖ ସଚିବ, ମୁଖ୍ୟ ବନ୍ୟ ସଂରକ୍ଷକ, ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ, ରାଉରକେଲା ତହସିଲଦାର, ରାଉରକେଲା ମହାନଗର ନିଗମ, ଜିଲ୍ଲାପାଳ, କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସ୍ବତନ୍ତ ସଚିବ, ସଚିବ ଓ ଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। କୋର୍ଟ ମାମଲାକୁ ଗ୍ରହଣ କରିଛନ୍ତି। ଆସନ୍ତା ଜୁଲାଇ ୭ରେ ପକ୍ଷଭୁକ୍ତ ୧୧ ଅଧିକାରୀଙ୍କୁ ହଜାର ହୋଇ ନିଜର କାରଣ ଦର୍ଶାଇବାକୁ‌ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ଆବେଦନକାରୀ ତିନି ଆଇନଜୀବୀ କୋର୍ଟଙ୍କୁ ଦର୍ଶାଇଛନ୍ତି ଯେ, ୧୮୭୨ ଗଛ କଟା ହେଲେ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ିବ। ଏନ୍ଆଇଟି କ୍ୟାମ୍ପସ୍‌ ପରିସରରେ ସିଭିଲ ଇଞ୍ଜନି୍ୟରିଂ ବିଭାଗ ନିର୍ମାଣ ପାଇଁ ୧୮୭୨ ଗଛକାଟିବାକୁ ଏନ୍ଆଇଟି କର୍ତ୍ତୃପକ୍ଷ ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ଅନୁମତି ଲୋଡ଼ିଥିଲେ। ବନଖଣ୍ଡ ଅଧିକାରୀ ଦେଇଥିବା ଅନୁମତି ଗ୍ରହଣୀୟ ନୁହେଁ।

ଆବେଦନକାରୀ ଆହୁରି ମଧ୍ୟ କୋର୍ଟକୁ ଜଣାଇଛନ୍ତି, ଗତବର୍ଷ ଭିତ୍ତିଭୂମି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏନ୍ଆଇଟି ପରିସରରୁ ୪ ହଜାର ଗଛ କଟାଯାଇଥିଲା। ଏନ୍ଆଇଟି କ୍ୟାମ୍ପସ୍‌ରେ ୯, ୯୭୦ ବିଭିନ୍ନ ପ୍ରକାର ଗଛ ରହିଛି। ତେବେ ଆସନ୍ତା ଜୁଲାଇ ୭ କୋର୍ଟର ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିନି ଆଇନଜୀବୀ କହିଛନ୍ତି।

Leave a Reply

Your email address will not be published. Required fields are marked *