ଜଗତସିଂହପୁର/ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଚନ୍ଦନ ଯାତ୍ରା ଗତ ପବିତ୍ର ଅକ୍ଷୟ ତୃତୀୟା ବୁଧବାର ଠାରୁ ଶୁଭାରମ୍ଭ ହୋଇଛି । ଏହି ଦୀର୍ଘକାଳୀନ ରମଣୀୟ ଓ ଆକର୍ଷଣୀୟ ଚନ୍ଦନ ଯାତ୍ରା ରେ ପ୍ରତିଦିନ ଦିବାରାତ୍ର ଚାପଖେଳ ହେବାର ଏକ ସ୍ବତନ୍ତ୍ର ପରମ୍ପରା ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି।
ମଧ୍ୟାହ୍ନ ରେ ମାଆଙ୍କୁ ଚନ୍ଦନ ଲାଗି କରାଯିବା ସମୟରେ ବଡ଼ପଣ୍ଡା ଙ୍କ ଦ୍ଵାରା ଏହି ନୀତି ସମ୍ପନ୍ନ ହୋଇଥିଲା। ସୁବାସିତ ଚନ୍ଦନ ଲାଗି ବେଳେ, ପରିଚ୍ଛା ଙ୍କ ଚାମରସେବା ଚାଲିଥିବା ବେଳେ, ସେବାୟତ ମାନେ ଆଲଟ ପକାଇବା ସହିତ ପାଖାଉଜ ଓ ଝାଞ୍ଜ୍ ଗିନି ର ତାଳେ ତାଳେ ସେବାଗିତୀ ଗାନ କରିଥିଲେ। ସୁବାସିତ ପୁଷ୍ପ ଓ ମାଳରେ ମଣ୍ଡିତ କରିବା ପରେ, ପରଷ୍ପର ମଧ୍ୟରେ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଲାଗି ଚନ୍ଦନ ବୋଳି ଦେଇଥିଲେ।
ଦ୍ବିତୀୟ ପ୍ରହର ଧୂପ ପରେ ମାଆଙ୍କୁ ପ୍ରୀତିଅନ୍ନ ନୈବେଦ୍ୟ କରାଯାଇ ଥିଲା। ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ମାଆଙ୍କ ଚଳନ୍ତି ପ୍ରତିମା ଙ୍କୁ ବର୍ଣ୍ଣାଢ଼୍ୟ ପଟୁଆର ମଧ୍ୟରେ ଚନ୍ଦନ ପୁଷ୍କରିଣୀ କୁ ଚାପଖେଳ ରେ ହଂସାକୃତି ନୌକାରେ ବିଜେ କରିବା ପରେ, ପ୍ରଥମ ଦିନ ଏକଭେରା ଚାପଖେଳ ପରେ, ପୋଖରୀ ମଝିରେ ଥିବା ଚନ୍ଦନକୁଣ୍ଡି ମନ୍ଦିରର ଚନ୍ଦନକୁଣ୍ଡ ରେ ଜଳସାଇ କରାଯାଇଥିଲା ।
ଅପରାହ୍ନରେ ସେଠାରେ ମାର୍ଜନା, ଅଭିନବ ବେଶରେ ମାଆଙ୍କୁ ସଜ୍ଜିତ କରାଯାଇ ସନ୍ଧ୍ୟା ଆରତୀ, ତାଟଭୋଗ ପୂଜା ପରେ ପୁନଶ୍ଚ ଚାପଖେଳ ସାରି, ଘାଟ ରେ ଥିବା ଚନ୍ଦନବେଦୀରେ ପୂଜାର୍ଚ୍ଚନା ଓ ଆରତୀ ପରେ ପାଟପଟୁଆର ମଧ୍ୟରେ ସ୍ଵପୀଠ କୁ ପ୍ରତ୍ୟାବର୍ତ୍ତନ କରିଥଲେ। ତେବେ ପ୍ରଥମ ଦିନ ଏକ ଭେରା ଦ୍ୱିତୀୟ ଦିନ ଦୁଇ ଭେରା ଏହି କ୍ରମରେ ୨୧ ଦିନ ଉଦଯାପନୀ ଉତ୍ସବରେ ଲଟାଭଉଁରୀ ରେ ୨୧ ଭେରା ଚାପ ଖେଳ ବିଧି ବିଧାନ ରହିଅଛି।
ଏହି ଚନ୍ଦନ ଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚନ୍ଦନ ପୁଷ୍କରିଣୀ ର ଚତୁଃପାର୍ଶ୍ଵରେ ରଙ୍ଗ ବେରଙ୍ଗ ର ଆଲୋକମାଳା ରେ ସଜା ଯାଇଥିବା ବେଳେ, କିଛିବର୍ଷ ପୁର୍ବରୁ ବାନଣ ଫୁଟା ସମୟରେ ବିସ୍ଫୋରଣ ଘଟି ବହୁ ଲୋକ ଆହତ ଓ ଜଣେବ୍ୟକ୍ତିର ମୃତ୍ୟୁ ହୋଇଥିବାରୁ, ଏହି ଆତସବାଜି କାର୍ଯକ୍ରମ କୁ ମନ୍ଦିର ପ୍ରଶାସନର ନିଷ୍ପତି ଅନୁଯାୟୀ ନିଷିଦ୍ଧ କରାଯାଇଛି ।