କେନ୍ଦୁଝର : କେନ୍ଦୁଝରର ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶକ୍ତିର ପ୍ରତୀକ ସୁଦର୍ଶନଙ୍କର ପବିତ୍ର ଦେବସ୍ନାନ ନୀତି ଜ୍ୟେଷ୍ଠଶୁକ୍ଳପକ୍ଷ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ସକାଳ ୪.୦୦ସମୟରେ ଅବକାଶ, ଲୁଗାଲାଗି, ୫ଟାରେ ସୂର୍ଯ୍ୟପୁଜା ଓ ପୂଜାନିତୀ ସଂପନ୍ନ ହେବାପରେ ୫.୨୦ମିନିଟ ସମୟରେ ବେଢା ଦେବତା ପୂଜା, ସକାଳ ୬ଟା ସମୟରେ ଲୁଗାଲାଗି ଓ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।
ରତ୍ନ ସିଂହାସନରୁ ପୂର୍ବାହ୍ନ ୮.୫୦ମିନିଟ ସମୟରେ ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କରୁ ଆସିଥିବା ପହଣ୍ଡିଆ ସେବକମାନଙ୍କ ଦ୍ୱାରା ଧାଡି ପହଣ୍ଡି କରାଯାଇ ଦେବସ୍ନାନ ମଣ୍ଡପକୁ ନିଆଯାଇଥିଲା। ସ୍ନାନମଣ୍ଡପରେ ଲୁଗାଲାଗି, ଚନ୍ଦନଲାଗି, ହାତୀବେଶ ହେବା ସହ ବୃହତ ମଙ୍ଗଳାରୋପଣ ଓ ରାଜାଙ୍କ ଦ୍ୱାରା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ସେଠାରେ ମନ୍ଦିର ପରିସରରେ ଥିବା କୂଅରୁ ସୁଶୀତଳ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ସଂପନ୍ନ କରାଯାଇଥିଲା। ସ୍ନାନମଣ୍ଡପରେ ମଧ୍ୟାହ୍ନଧୁପ ଅନୁଷ୍ଠିତ ହୋଇଥିଲା।
କେନ୍ଦୁଝରର ଶ୍ରୀଜୀଉମାନେ ଅଁଳା ପତ୍ର ବା ଧାତ୍ରୀ ପ୍ରିୟ ଥିବାବେଳେ ସେବକମାନେ ଶ୍ରୀ ଅଙ୍ଗରେ ଧାତ୍ରୀ ଲାଗି କରାଇଥିଲେ। ଦିନ ତମାମ କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଦେବସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ପୁଷ୍ପାଞ୍ଜଳି ଅର୍ପଣ କରି ନିଜର ରାଜ ନିତି ସମ୍ପାଦନ କରିଥିଲେ।
ବ୍ରହ୍ମା ଗଙ୍ଗାଧର ମିଶ୍ର, ସେବାୟତ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ନୀତି ସଂପନ୍ନ ହୋଇଥିବାବେଳେ ପୂଜକ ସୁଜିତ କୁମାର ଦାଶ, ପଦ୍ମନାଭ ନନ୍ଦ, ଦେବଦତ୍ତ ପତି,ଈଶ୍ୱର ତ୍ରିପାଠୀ ଏବଂ ଅନ୍ୟାନ୍ୟ ସେବକମାନେ ନୀତି ସଂପାଦନ କରିଥିଲେ। ଦେବୋତ୍ତର ତଥା କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟ୍ୟାଳୟର ଅଧିକାରୀ ଭୁବନେଶ୍ୱର ମହାପାତ୍ର, ଜନ୍ମେଜୟ ଶତପଥି, ଦେବୋତ୍ତର ସୁପରଭାଇଜର ପଞ୍ଚାନନ ସାହୁ ପ୍ରମୁଖ ବିିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ। ସଂନ୍ଧ୍ୟାରେ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଅଣସର ଘରକୁ ନିଆଯାଇଥିଲା। ପୋଲିସ ତରଫରୁ ଏସପି ନିତିନ କୁଶଲକର, ଏସଡିପିଓ ସୁଦର୍ଶନ ଗଙ୍ଗୋଇ, ଟାଉନ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କରାଯାଇଥଲା। ମନ୍ଦିରରେ ହାତୀବେଶ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ସେହିପରି କେନ୍ଦୁଝରର ଆଦିଶକ୍ତି ପୀଠ ସିଦ୍ଧମଠଠାରେ ପୂଜା ପାଉଥିବା ଏକକ ସିଦ୍ଧ ଜଗନ୍ନାଥଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସିଦ୍ଧ ଜଗନ୍ନାଥଙ୍କୁ ବହୁ ଭକ୍ତ ଦର୍ଶନ କରିଥିବାବେଳେ ଦେବୋତ୍ତର ପକ୍ଷରୁ ସମସ୍ତ ବିଧି ଅନୁସୃତ କରାଯାଇଥିଲା।
