ବଳରାମ ଦାସଙ୍କ ସମାଧିପୀଠରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’, ବଣ୍ଟାଯିବ ୧କୋଟି ଲକ୍ଷ୍ମୀପୁରାଣ

ରାଜ୍ୟ
Spread the love

ଭୁବନେଶ୍ୱର: ବଳରାମ ଦାସଙ୍କ ସମାଧି ପୀଠ ଠାରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ ହେବ। ଓଡ଼ିଶାର ଶକ୍ତି, ସଂସ୍କୃତି ଓ ପରମ୍ପରାର ଦର୍ଶନ ବିଶ୍ୱବାସୀଙ୍କୁ କରାଇ ପର୍ଯ୍ୟଟନ ବିଭାଗ। ଆଜି (ବୁଧବାର) ମିସନ ଶକ୍ତି ଭବନସ୍ଥିତ ଅଡିଟୋରିଅମ୍‌ ହଲ୍‌ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଉଦ୍‌ବୋଧନ ଦେଇ କହିଥିଲେ, ମହାଲକ୍ଷ୍ମୀ ପୁରାଣର ମୂଳ ବାର୍ତ୍ତା କେବଳ ଧାର୍ମିକ ନୁହେଁ, ବରଂ ଏହା ଏକ ସାମାଜିକ ବିପ୍ଳବର ପ୍ରତୀକ। ପ୍ରକୃତ ସମୃଦ୍ଧି କେବଳ ଧନରେ ନୁହେଁ, ବରଂ ନ୍ୟାୟ, ସମାନତା, ପରିଶ୍ରମ, ସ୍ୱାଭିମାନ ଓ ସମ୍ମାନ ଉପରେ ନିର୍ଭର କରେ। ଆଗାମୀ ଦିନରେ, ୧ କୋଟି ବଳରାମ ଦାସଙ୍କ ମୂଳ ଲକ୍ଷ୍ମୀପୁରାଣକୁ ଛାପାଯିବ ଏବଂ ଏହାକୁ ମହିଳାଙ୍କ ମଧ୍ୟରେ ବଣ୍ଟାଯିବ। କେବଳ ଏହାନୁହେଁ, ମୌଳିକ ଲକ୍ଷ୍ମୀପୁରାଣକୁ କଣ୍ଠଶିଳ୍ପୀ ନମିତ ଅଗ୍ରୱାଲ୍‌ ଓ ଗୀତା ଦାସ ଗାଇବେ ବୋଲି କହିଥିଲେ।
ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ପ୍ରସ୍ତାବିତ ‘ଲକ୍ଷ୍ମୀ ପୁରାଣ କରିଡର’ର ପରିକଳ୍ପିତ ଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ଲକ୍ଷ୍ମୀ ପୁରାଣ କେବଳ ମାଆ ଲକ୍ଷ୍ମୀଙ୍କ ବନ୍ଦନା ନୁହେଁ, ବରଂ ମହିଳାଙ୍କୁ ସମ୍ମାନ ଦେବାର ଏକ ପ୍ରକ୍ରିୟା ଓ ମାର୍ଗ ଅଟେ। ଏହାକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ଦିଗରେ ପର୍ଯ୍ୟଟନ ବିଭାଗର ଏହି ଉଦ୍ୟମ ପ୍ରଶଂସନୀୟ।
ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବିଦ୍ୱାନ, ଗବେଷକ ଓ ବକ୍ତାମାନେ ଲକ୍ଷ୍ମୀ ପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସହିତ ଏଥିରେ ଥିବା ନାରୀ ସଶକ୍ତୀକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଆୟୋଜିତ ମୁଖ୍ୟ ଆଲୋଚନାଚକ୍ରରେ ନୂଆଦିଲ୍ଲୀସ୍ଥିତ ‘ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ’ର ମହିଳା ଅଧ୍ୟୟନ କାର୍ଯ୍ୟକ୍ରମର ମୁଖ୍ୟ ବିଦ୍ୟୁତ୍‌ଲତା ମହାନ୍ତି, ଜଣାଶୁଣା ଲେଖକ ଓ ସ୍ତମ୍ଭକାର ଅସିତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ଗୌରାଙ୍ଗ ଚରଣ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ ଓ ନମିତା ଅଗ୍ରୱାଲ ଯୋଗ ଦେଇଥିଲେ। ସେହିପରି ଅନନ୍ତ ଅବଧୂତ ମଠର ଆଦିତ୍ୟ ଚନ୍ଦ୍ର ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ସୁଚେତା ପ୍ରିୟବାଦିନୀ ଓ ଅଲିଭା ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଜୟନ୍ତୀ ଦୋରା ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ମିସନ ଶକ୍ତି ବିଭାଗର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *