ପାରାଦୀପ, ଜଗତସିଂହପୁର : ପାରାଦୀପ ଅଞ୍ଚଳର ଗ୍ରାମୀଣ ଯୁବକ-ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ସମର୍ଥ କରିବା ପାଇଁ ଜେଏସଡବ୍ଲୁ ଫାଉଣ୍ଡେସନ (JSW Foundation) ପକ୍ଷରୁ ଏକ ଅଭିନବ ପ୍ରୟାସ ଜାରି ରହିଛି। ପାରାଦୀପ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ (ISP) ପରିଧି ଅଞ୍ଚଳ ଅନ୍ତର୍ଗତ ନୁଆଗାଁରେ ଅକ୍ଟୋବର ୨୦୨୩ରୁ ‘ସମର୍ଥ ଯୁବ ବିକାଶ କେନ୍ଦ୍ର’ (ପୂର୍ବରୁ ଜେଏସଡବ୍ଲୁ ଫାଉଣ୍ଡେସନ ଇ-ଲର୍ଣ୍ଣିଂ ଆଣ୍ଡ ପର୍ସନାଲିଟି ଡେଭଲପମେଣ୍ଟ ସେଣ୍ଟର) ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପର ଏକାଡେମିକ୍ ସହଭାଗୀ ଭାବେ ମେସର୍ସ ଗୁରୁକୁଳ ଫାଉଣ୍ଡେସନ (M/s Gurukul Foundation) କାର୍ଯ୍ୟ କରୁଛି।
ଜଗତସିଂହପୁର ଜିଲ୍ଲା ପ୍ରଶାସନର ସହଯୋଗରେ ନୁଆଗାଁର ଏକ ବନ୍ଦ ପ୍ରାଥମିକ ବିଦ୍ୟାଳୟ ଭବନକୁ ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ପୁନର୍ନିର୍ମାଣ କରାଯାଇ ଏକ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଏଠାରେ ଯୋଗ୍ୟ ଯୁବକ-ଯୁବତୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଣ-ବୈଷୟିକ (Non-technical) ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ନିଶୁଳ୍କ କୋଚିଂ ଦିଆଯାଉଛି। କମ୍ପ୍ୟୁଟର ଶିକ୍ଷା, ମକ୍ ଟେଷ୍ଟ, ବ୍ୟକ୍ତିତ୍ୱ ବିକାଶ (Personality Development) ଏବଂ ଇଣ୍ଟରଭ୍ୟୁ ପ୍ରସ୍ତୁତି ଉପରେ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ପ୍ରତି ୬ ମାସିଆ ବ୍ୟାଚରେ ସର୍ବାଧିକ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ବର୍ତ୍ତମାନ ଏହି କେନ୍ଦ୍ରରେ ୫ମ ବ୍ୟାଚ୍ର ପାଠପଢ଼ା ଚାଲୁଥିବା ବେଳେ ଗତ ଦୁଇ ବର୍ଷରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି କେନ୍ଦ୍ରର ପ୍ରଶିକ୍ଷଣ ପାଇ ୨୧ ଜଣ ସରକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗଡ଼କୁଜାଙ୍ଗ ଅଞ୍ଚଳର ଜଣେ ଛାତ୍ର ଓପିଏସସି (OPSC) ମାଧ୍ୟମରେ ଓଏଏସ (OAS) ପାଇଁ ମନୋନୀତ ହୋଇଥିବା ବେଳେ କେନ୍ଦ୍ରର ଦୁଇଜଣ ଶିକ୍ଷକ ମଧ୍ୟ ଓଏଏସ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ପ୍ରୋବେସନରେ ଅଛନ୍ତି। ଏହାଛଡ଼ା ୭୦ରୁ ଅଧିକ ଛାତ୍ରଛାତ୍ରୀ ଓଡ଼ିଶା ଓ ରାଜ୍ୟ ବାହାରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି।
ଏହି କେନ୍ଦ୍ରଟି ମହିଳାମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ପ୍ରତ୍ୟେକ ବ୍ୟାଚରେ ପ୍ରାୟ ୬୫ ରୁ ୭୦ ପ୍ରତିଶତ ଛାତ୍ରୀ ରହୁଛନ୍ତି, ଯାହା ସମାଜର ପରିବର୍ତ୍ତିତ ମନୋଭାବକୁ ପ୍ରତିଫଳିତ କରୁଛି। ପୂର୍ବରୁ କେବଳ ପ୍ଲାଣ୍ଟ ନିକଟସ୍ଥ ଗାଁରୁ ପିଲାମାନେ ଆସୁଥିବା ବେଳେ ଏବେ ୧୫ ରୁ ୪୫ କିଲୋମିଟର ଦୂରରୁ ମଧ୍ୟ ଛାତ୍ରଛାତ୍ରୀମାନେ ଆସି ନୁଆଗାଁରେ ରହି ପାଠ ପଢ଼ୁଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଘରଭଡ଼ା ଓ ଦୋକାନ ବଜାର ମଧ୍ୟ ଲାଭବାନ ହେଉଛନ୍ତି।
ନୁଆଗାଁର ଏହି ସଫଳତାକୁ ଦେଖି ପାରାଦୀପ ଓ ଜଗତସିଂହପୁରର ଅନ୍ୟାନ୍ୟ ପ୍ରତିଷ୍ଠିତ କମ୍ପାନୀମାନେ ମଧ୍ୟ ସମାନ ଧରଣର ନିଶୁଳ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଜେଏସଡବ୍ଲୁ ଫାଉଣ୍ଡେସନର ଏହି ସିଏସଆର (CSR) ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ବ୍ୟାଚ୍ ସମାପ୍ତି ପରେ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅଗ୍ରଗତି ଉପରେ ନଜର ରଖାଯାଉଛି ଓ ସେମାନଙ୍କୁ ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଉଛି।
