ବୃତ୍ତି ପରୀକ୍ଷାରେ କୃତିତ୍ୱ : ପୁଟିଙ୍ଗ ସରକାରୀ ବିଦ୍ୟାଳୟର ଛାତ୍ର ସ୍ୱୟଂ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଜ୍ୟ
Spread the love

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପୁଟିଙ୍ଗ ଜୟସିଂହପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ସ୍ୱୟଂ ସ୍ୱାଇଁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ ସ୍ୱୟଂ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଜଗନ୍ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱୟଂଙ୍କ ସଫଳତା ପଛରେ ଥିବା ତାଙ୍କ ପିତା କିଶୋର କୁମାର ସ୍ୱାଇଁ ଓ ମାତା ସୁଦାଶ୍ରୀ ସ୍ୱାଇଁଙ୍କ ନିରନ୍ତର ପ୍ରଚେଷ୍ଟାକୁ ସ୍ୱୀକୃତି ଦିଆଯିବା ସହ ସେମାନଙ୍କୁ ‘ଉତ୍ତମ ଅଭିଭାବକ’ ଭାବେ ଉଚ୍ଚ ପ୍ରଶଂସା କରାଯାଇଥିଲା।

କୃତି ଛାତ୍ର ସ୍ୱୟଂଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶିକ୍ଷୟତ୍ରୀ ସୁଜାତା ସ୍ୱାଇଁ, ରିଲିସ୍ମିତା ଶୁକ୍ଳ, ସସ୍ମିତା ପ୍ରଧାନ ଓ ମିନତୀପ୍ରଭା ତ୍ରିପାଠୀ ବକ୍ତବ୍ୟ ରଖିଥିଲେ। ଏଥିସହିତ ଶିକ୍ଷା ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଳୟ କୁମାର ରାଉତ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱୟଂଙ୍କ ଏହି କୃତିତ୍ୱ ବିଦ୍ୟାଳୟର ସୁନାମ ଓ ସୁଖ୍ୟାତି ବୃଦ୍ଧି କରିଥିବା ପ୍ରକାଶ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସ୍ୱୟଂଙ୍କ ଏହି ସଫଳତାକୁ ନେଇ ସବୁଠି ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *