ଭୁବନେଶ୍ୱର: ଏକ ସୁନ୍ଦର ପୃଥିବୀ ଗଠନ ପାଇଁ ସୁବିଚାର, ସୁସମ୍ପର୍କ ଏବଂ ସୁସମନ୍ଵୟର ଏକାନ୍ତ ଆବଶ୍ୟକତା ରହିଛି। ଏହି ମହତ ଉଦ୍ଦେଶ୍ୟକୁ ପାଥେୟ କରି ସଭିଙ୍କ ଭିତରେ ଆତ୍ମୀୟତା ଓ ସମ୍ପର୍କର ସେତୁ ସଦୃଶ ଉଭା ହୋଇଥିବା ‘ମାତୃଭୂମି ଓ ମାତୃଭାଷା ପରିବାର’ର ଷଷ୍ଠ ବାର୍ଷିକ ମିଳନପର୍ବ ଗତ ଫେବୃଆରୀ ୮ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରାୟ ୩୦୦ରୁ ଅଧିକ ଓଡ଼ିଆପ୍ରାଣ ବ୍ୟକ୍ତିବିଶେଷ ଯୋଗଦେଇ ଏହି ମିଳନପର୍ବକୁ ଉତ୍ସବମୁଖର କରିଥିଲେ।
ପରିବାରର ମାର୍ଗଦର୍ଶକ ବିଜୟ ମୋଦିଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବକୁ ଟାଟା ପାୱାରର ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ଓଡ଼ିଆପ୍ରାଣ ଦୁଷ୍ଯନ୍ତ ତ୍ୟାଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ମତପ୍ରକାଶ ପାଇଥିଲା ଯେ, ଯେଉଁ ଜାତିର ଜାତିପ୍ରୀତି ଓ ମାଟିପ୍ରୀତି ଯେତେ ସୁଦୃଢ଼, ସେ ଜାତି ସେତିକି ମହିମାନ୍ବିତ ଓ ସମୁନ୍ନତ। କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ କବି ଅଶୋକ ବେହେରା, ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ନବଘନ ପରିଡ଼ା ଏବଂ ନାଲକୋର ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃଭୂମି ଓ ମାତୃଭାଷାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ବାର୍ଷିକ ମିଳନପର୍ବର ମୁଖ୍ୟ ଆକର୍ଷଣ ଥିଲା ‘ମାଟିର ମଣିଷ’ମାନଙ୍କୁ ସମ୍ବର୍ଦ୍ଧନା। ନିଜର ସଂସ୍କୃତି, ଧର୍ମ ଏବଂ ଭାଷାକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା କେତେକ ଅନନ୍ୟ ବ୍ୟକ୍ତିତ୍ୱଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ:
୧. ମୁଙ୍ଗୁର ତାଡ଼ିଙ୍ଗି (କୋଟିଆର ବିଶ୍ୱାବସୁ): କୋଟିଆସ୍ଥ ଜଗନ୍ନାଥ ମନ୍ଦିରର ଏହି ଅନନ୍ୟ ସେବକ, ବିଭିନ୍ନ ପ୍ରଲୋଭନ ସତ୍ତ୍ୱେ ନିଜ ଜଗନ୍ନାଥ ଭକ୍ତି ଓ ସଂସ୍କୃତିକୁ ଜାବୁଡ଼ି ଧରି ଧର୍ମାନ୍ତରିତ ହୋଇନାହାନ୍ତି।
୨. ଗାଙ୍ଗେଇ ବାଗ: ଦେଓମାଳି ଅଞ୍ଚଳରେ ନିଜ ଜୀବନକୁ ବିପନ୍ନ କରି ନିରୀହ ବନବାସୀଙ୍କୁ ବାହ୍ୟ ଷଡଯନ୍ତ୍ରରୁ ରକ୍ଷା କରିବା ସହ ନିଜ ପରମ୍ପରା ସହ ଯୋଡ଼ି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
୩. ନାଗା ସାଧୁ ନାଗାରାମ ଦାସ: ଦଶପଲ୍ଲାର ଏହି ଶତାୟୁ ସାଧୁ ନିଜର ନିଷ୍ଠାପର ଗୋ-ସେବା ପାଇଁ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
୪. ସୁମତି ପ୍ରଧାନ: ଛତିଶଗଡ଼ର ସୀମାନ୍ତ ବିଚ୍ଛିନ୍ନାଞ୍ଚଳରେ ରହି ଅତ୍ୟନ୍ତ ନିଷ୍ଠାର ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାର କରୁଥିବା ଏହି “ସୀମାନ୍ତ ପ୍ରହରୀ”ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ କବୟିତ୍ରୀ ପ୍ରମିଳା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ସନ୍ତୋଷ ଦାସ, ଅମିତା ମିଶ୍ର ଏବଂ ସୁଧାଂଶୁ ମିଶ୍ରଙ୍କ ଭକ୍ତି ସଙ୍ଗୀତରେ ପରିବେଶ ଆଧ୍ୟାତ୍ମିକମୟ ହୋଇଥିଲା। ଛାତ୍ର ପ୍ରତ୍ୟାନ୍ଶୁ ମହାରଣା ବେଦମନ୍ତ୍ର ପାଠ କରିଥିବା ବେଳେ ଶେଷରେ କବୟିତ୍ରୀ ଆରତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମାତୃଭୂମି ଓ ମାତୃଭାଷା ପରିବାରର ଏହି ମିଳନପର୍ବ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିବାରେ ଏକ ସଫଳ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
