ୟୁଏଇର ଆଇଏଚ୍‌ସି ଗ୍ରୁପ୍- ଓଡ଼ିଶା ସରକାରଙ୍କ ବୁଝାମଣା: ସ୍ଥାପିତ ହେବ ୧.୧୦ଲକ୍ଷ କୋଟି ଟଙ୍କାର ଆଲୁମିନିୟମ୍ ପ୍ରକଳ୍ପ

ରାଜ୍ୟ
Spread the love

ଭୁବନେଶ୍ୱର: ଓଡ଼ିଶାରେ ୧୧.୫ ବିଲିୟନ୍‌ ଅର୍ଥାତ୍‌ ୧.୧୦ଲକ୍ଷ କୋଟି ଟଙ୍କାର ଏକ ବୃହତ୍‌ ଆଲୁମିନିୟମ୍‌ ପ୍ରକଳ୍ପ ସ୍ଥାପନ କରିବାକୁ ସଂଯୁକ୍ତ ଆରବ ଅମିରତ୍‌ (ୟୁଏଇ)ର ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କମ୍ପାନୀ (ଆଇଏଚ୍‌ସି) ଗୋଷ୍ଠୀ ଓ ଓଡ଼ିଶା ସରକାରଙ୍କ ଇପିକଲ୍‌ ମଧ୍ୟରେ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫ହଜାର ଓ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮ହଜାର ୫ଶହ ଲୋକ, ଏଭଳି ୫୩ହଜାର ୫ଶହ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ କହିଛନ୍ତି, ଓଡ଼ିଶାର ସମ୍ବଳ ଓ ପ୍ରତିଭା ସହ ମଧ୍ୟ-ପ୍ରାଚ୍ୟର ପୁଞ୍ଜି ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟରେ ଏକ ସମୃଦ୍ଧ ପାର୍ଟନରସିପ୍ ଗଠନ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଙ୍ଗ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ। ପ୍ରକଳ୍ପର ସଫଳତା ପାଇଁ ଜମି, ଜଳ, ବିଦ୍ୟୁତ, ଲଜିଷ୍ଟିକ୍ସ ଏବଂ ସରକାରୀ ମଞ୍ଜୁରୀ ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସମନ୍ୱିତ ଏବଂ ସମୟବଦ୍ଧ ଭାବରେ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି, ତାଙ୍କର ସରକାର ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ରାଜ୍ୟକୁ ଏକ ଶିଳ୍ପରେ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ିତୋଳିବାକୁ ସରକାର ବଦ୍ଧପରିକର।
ଏହି ଅବସରରେ ‘ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ’ (IHC)ର ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର୍ (CSO) ପିଟର ଆବ୍ରାମ କହିଛନ୍ତି ଯେ, ଏହା ଭାରତ ଏବଂ ୟୁଏଇ (UAE) ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଚୁକ୍ତି କେବଳ ଏକ ବ୍ୟବସାୟିକ ନିବେଶ ନୁହେଁ, ବରଂ ଓଡ଼ିଶାର ସ୍ଥାୟୀ ବିକାଶ ପାଇଁ ଏକ ଦୀର୍ଘକାଳୀନ ଭାଗିଦାରୀ।
ଏହି ଅବସରରେ ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡ୍ ମ୍ୟାନେଜିଂ ଡାଇରେକ୍ଟର କରନ୍ ଆଦାନୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପ୍ରଚୁର ଖଣିଜ ସମ୍ପଦ ଏବଂ ଶିଳ୍ପ ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଓଡ଼ିଶାରେ ଥିବା ଦେଶର ସର୍ବବୃହତ ବକ୍ସାଇଟ୍ ଭଣ୍ଡାର ଓ ୫୦ ପ୍ରତିଶତରୁ ଅଧିକ ଲୁହାପଥର ଏହାକୁ ଭାରତର ଶିଳ୍ପ ଜଗତର ମେରୁଦଣ୍ଡ ଭାବେ ଗଢ଼ିତୋଳିଛି।
ଏହି ସମାବେଶରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ୟୁଏଇ ଆଇଏଚ୍‌ସି ଗ୍ରୁପ୍‌ର ନିର୍ଦ୍ଦେଶକ ଓ ସିଇଓ ସୟଦ୍ ବସର୍ ସୁଏବ୍, ୟୁଏଇ ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ (ଆଇଆର୍‌ଏଚ୍‌)ର ସିଇଓ ଅଲି ଅଲ୍-ରସ୍‍ଦି, ଆଇଏଚ୍‌ସି ଗ୍ରୁପ୍‌ର ନେତୃବୃନ୍ଦ ହେସାମ୍ ଓ ଅବ୍‍ଦୁଲା ଅଲ୍-ରସ୍‍ଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ନେତୃବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇପିକଲ୍‌ର ନିର୍ଦ୍ଦେଶିକା ଅବୋଲି ସୁନୀଲ ନରଭଣେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *