କନକପୁରଦେଉଳି ନାୟକସାହି ରାସ୍ତାରେ ଆଣ୍ଠିଏ ପାଣି: ଜନଜୀବନ ଅସ୍ତବ୍ୟସ୍ତ, ପୁନଃନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୦୫/୦୭/୨୦୨୬ : ମା’ ସାରଳା ଠାକୁରାଣୀଙ୍କ ପ୍ରାଚୀନ ପୀଠସ୍ଥଳୀ ଲଣ୍ଡାଦେଉଳ ନିକଟସ୍ଥ କନକପୁରଦେଉଳି ନାୟକସାହି ରାସ୍ତାର ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସାମାନ୍ୟ ଅସରାଏ ବର୍ଷା ହେଲେ ଏହି ଗ୍ରାମ୍ୟ ରାସ୍ତାରେ ଆଣ୍ଠିଏ ଉଚ୍ଚର ପାଣି ଜମି ରହିବା ସହ ନର୍ଦ୍ଦମାର ସୁଅ ଛୁଟୁଛି। ଏହି ସାହିରେ ପ୍ରାୟ ୧୫ଟି ପରିବାର ବସବାସ କରୁଥିବା ବେଳେ ସେମାନେ ପ୍ରତିଦିନ ମା’ ସାରଳାଙ୍କ ନିତ୍ୟ ସେବାକାର୍ଯ୍ୟ ପାଇଁ ମନ୍ଦିରକୁ ଯାତାୟାତ କରିଥାନ୍ତି। ମାତ୍ର ଦୁର୍ଭାଗ୍ୟବଶତଃ, ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯିବା ସମୟରେ ସେମାନଙ୍କୁ ଏହି ଅପରିଷ୍କାର ଓ ପଚା କାଦୁଅ-ପାଣି ଦେଇ ଗତି କରିବାକୁ ପଡ଼ୁଛି, ଯାହା ସେମାନଙ୍କ ଧାର୍ମିକ ଭାବନା ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି !

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାସ୍ତାଟିକୁ ଉଚ୍ଚ କରାଯାଇ ଏହାର ପୁନଃନିର୍ମାଣ କରିବା ନିହାତି ଜରୁରୀ ହୋଇପଡ଼ିଛି। କନକପୁର ପଞ୍ଚାୟତ ଏବଂ ତିର୍ତ୍ତୋଲ ବ୍ଲକ ପ୍ରଶାସନ ତରଫରୁ ତୁରନ୍ତ ଏହି ବିପର୍ଯ୍ୟସ୍ତ ରାସ୍ତାର ଅନୁଧ୍ୟାନ କରାଯାଇ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବି ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ର, ଜ୍ୟୋତିରଞ୍ଜନ ନାୟକ, ସରୋଜ କୁମାର ନାୟକ, ତ୍ରିନାଥ ରାଉଳ, ଲିପୁ ରାଉଳ, ଧର୍ମାନନ୍ଦ ନାୟକ, ସୁନାକର ନାୟକ, ମମତା ନାୟକ ଓ ସଞ୍ଜୟ ନାୟକ ପ୍ରମୁଖ ପ୍ରଶାସନିକ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *