ଝଙ୍କଡ଼, ୦୫/୦୭/୨୦୨୬: ପ୍ରସିଦ୍ଧ ପୀଠ ମା’ ସାରଳାଙ୍କ ସାରଳାହାଟ ପରିସରରେ ଡ୍ରେନେଜ ବ୍ୟବସ୍ଥାର ଚରମ ବିପର୍ଯ୍ୟୟ ଯୋଗୁଁ ଏବେ ପାନୀୟ ଜଳ ପାଇଁ ହାଟୁଆ, ଗ୍ରାହକ ଓ ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାଟର ମଧ୍ୟବର୍ତ୍ତୀ ସ୍ଥାନ ତଥା ଶ୍ରୀରାମ ଚୁଡ଼ାକଳ ରାସ୍ତାରେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀମାନଙ୍କ ବ୍ୟବହାର ପାଇଁ ବହୁ ବର୍ଷ ପୂର୍ବରୁ ଏକ ନଳକୂପ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆର.ଡବ୍ଲୁ.ଏସ.ଏସ. (RWSS) ବିଭାଗ ପକ୍ଷରୁ ସେହି ସ୍ଥାନରେ ଟାଇମ୍ ପାଣି ଯୋଗାଣ ନିମନ୍ତେ ଆଉ ଦୁଇଟି ପଏଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ଉପଯୁକ୍ତ ନିଷ୍କାସନ ପଥ ନଥିବାରୁ ଏହି ପାନୀୟ ଜଳ ପ୍ରକଳ୍ପ ଏବେ ଜନସାଧାରଣଙ୍କ ପାଇଁ ଅଦରକାରୀ ହୋଇପଡ଼ିଛି।
ଏହି ସ୍ଥାନରେ ଦୀର୍ଘ ଦିନ ଧରି ବ୍ୟବହୃତ ଜଳ ନିଷ୍କାସିତ ନହୋଇ ଜମି ରହିବା ଫଳରେ ଏକ ପୂତିଗନ୍ଧମୟ ନର୍ଦ୍ଦମା ସୃଷ୍ଟି ହୋଇଛି। ପ୍ରକଳ୍ପ ଚାରିପାଖରେ ଦୂଷିତ ପାଣି ଆବଦ୍ଧ ହୋଇ ରହିଥିବାରୁ ସେଠାକୁ ଯାଇ ପାନୀୟ ଜଳ ସଂଗ୍ରହ କରିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବପର ହେଉନାହିଁ। ଏହି ଗମ୍ଭୀର ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ତୁରନ୍ତ ଏକ ପକ୍କା ଡ୍ରେନେଜ୍ ନିର୍ମାଣର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ସ୍ଥାନୀୟ ବଜାର କମିଟି, ବ୍ୟବସାୟୀ ସଂଘ ଏବଂ ଅଞ୍ଚଳବାସୀ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ସ୍ୱାଭାବିକ କରିବା ପାଇଁ ଆଶୁ ପଦକ୍ଷେପ ନେବାକୁ ଦୃଢ଼ ଦାବି କରିଛନ୍ତି।
