ପୁରୀ ରଥଯାତ୍ରାରେ ପ୍ରବଳ ଭିଡ଼ ଓ ଅସମ୍ଭାଳ ଗହଳି ଯୋଗୁଁ ପ୍ରାଣ ହରାଇଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅନୁକମ୍ପାମୂଳକ ରାଶି ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ପ୍ରଦାନ କରାଯିବ।
ଚଳିତ ରଥଯାତ୍ରା ଦିନ ଅତ୍ୟଧିକ ଗହଳି କାରଣରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ ନବଗ୍ରାମ ରାଧାନଗରର ଯୁବକ ଅନିଲ ଦାସ ଏବଂ ମୁମ୍ବାଇର ଅଶୋକ ସୁବାରେ ରାଇକରଙ୍କର ପ୍ରାଣହାନି ଘଟିଥିଲା। ଗୋଟିଏ ବ୍ରାହ୍ମଣ ପରିବାରର ଅବିବାହିତ ଯୁବକ ଅନିଲଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ଏହି ଦାରୁଣ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ମଞ୍ଜୁର କରିଛନ୍ତି, ଯାହାକୁ ସ୍ଥାନୀୟ ଲୋକେ ଓ ସାଧାରଣରେ ସ୍ୱାଗତ କରାଯାଇଛି।
ଏତଦବ୍ୟତୀତ ରଥଯାତ୍ରା ଦିନ ଭିଡ଼ ଯୋଗୁଁ ଆହତ ହୋଇଥିବା ଅନ୍ୟ ଶ୍ରଦ୍ଧାଳୁମାନଙ୍କ ଚିକିତ୍ସା ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଗସ୍ତ କରି ଡାକ୍ତରୀ ଦଳ ସହ ଆଲୋଚନା କରିବା ସହ ଆହତମାନଙ୍କୁ ସମୁଚିତ ଚିକିତ୍ସା ସେବା ଯୋଗାଇଦେବାକୁ ସୁନିଶ୍ଚିତ କରିଥିଲେ।
