ବର୍ଷାରେ ଜନଜୀବନ ପ୍ରଭାବିତ; ୮ ଜିଲ୍ଲା ପ୍ରଭାବିତ, ୩ ମୃତ; ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ

ରାଜ୍ୟ
Spread the love

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।
ଗତକାଲି ଠାରୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବଢ଼ିବା ସହିତ ଅନେକ ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହୋଇଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ଅଘଟଣ ମଧ୍ୟ ଘଟିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଏବଂ ସମ୍ବଲପୁର ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖାଯାଇଥିଲା।
ବର୍ଷ ପରେ ରାଜ୍ୟର ବନ୍ୟା ପରିସ୍ଥିତି ବିଶେଷତଃ ମୟୂରଭଞ୍ଜକେନ୍ଦୁଝର, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ସଙ୍ଗିନ। ବନ୍ୟାଜଳରେ ଭାସି ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇଛି। ରାସ୍ତାଘାଟ ଧୋଇ ହୋଇଯାଇଛି। ଏଭଳି ସ୍ଥିତିରେ ଆସନ୍ତାକାଲି ମହାନଦୀରେ ଉଦ୍‌ବୃତ୍ତ ବନ୍ୟାଜଳ ନିଷ୍କାସନ ହେବ। ଏଣୁ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟାସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦିଆଯାଇଛି। ଏଭଳି ସ୍ଥିତିରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯଦି କୌଣସି ସ୍ଥାନରେ ବନ୍ୟାଜନିତ ସମସ୍ୟା ହୁଏ ତେବେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷକୁ ଫୋନ୍‌ କରିବାକୁ ନିବେଦନ କରାଯାଇଛି।
ଆଜି ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ୍., ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ବୈଠକରୁ ମିଳିଥିବା ବିବରଣୀ ଅନୁସାରେ, ମନ୍ତ୍ରୀ ପୂଜାରୀ କହିଥିଲେ, ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଅପରାହ୍ନ ସୁଦ୍ଧା ୪୪ଟି ବ୍ଲକ୍, ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି। ଏହା ବ୍ୟତୀତ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି।
ସମସ୍ତ ରିଲିଫ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ସ୍ୱଚ୍ଛ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆବଶ୍ୟକ ସ୍ଥଳରେ ଶୁଖିଲା ରାସନ ବଣ୍ଟନ କରାଯାଉଛି। ଶିଶୁ, ମହିଳା ଓ ବୟସ୍କମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ସୁରକ୍ଷା ପାଇଁ ରିଲିଫ କେନ୍ଦ୍ରଗୁଡ଼ିକରେ ମହିଳା ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।
ବୈଠକରେ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ସୁଦ୍ଧା ୨୨୬ଟି ଗ୍ରାମରେ ଜଳବନ୍ଦୀ ସ୍ଥିତି ରହିଛି। ତେବେ ବିଶେଷକରି ବାଲେଶ୍ୱର ଜିଲ୍ଲାରେ ଜଳସ୍ତର କମିବା ଆରମ୍ଭ କରିଥିବାରୁ ଅନେକ ଲୋକ ଧୀରେ ଧୀରେ ରିଲିଫ କେନ୍ଦ୍ରରୁ ନିଜ ଘରକୁ ଫେରୁଛନ୍ତି।
ରାଜ୍ୟ ସରକାର ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି। ସମସ୍ତ ନଦୀବନ୍ଧ, ରିଲିଫ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି।
ନଦୀ ପରିସ୍ଥିତିର ସମୀକ୍ଷା ବେଳେ ଜଣାପଡ଼ିଥିଲା ଯେ ଛତିଶଗଡ଼ର ଉପର ଅବବାହିକା ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ହୀରାକୁଦ ବନ୍ଧର ଦୁଇଟି ଗେଟ୍ ଖୋଲା ରହିଛି ଏବଂ ଜଳଭଣ୍ଡାରର ଜଳସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ଜଳପ୍ରବାହ ଓ ନଦୀ ଜଳସ୍ତରର ତଦାରଖ କରାଯାଉଛି ଏବଂ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ବୈଷୟିକ ଆକଳନ ଆଧାରରେ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରାଯିବ। ବର୍ତ୍ତମାନ ନଦୀ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।
ସର୍ବଶେଷ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ରଖାଯାଇଛି। ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଉଦ୍ଧାରକାରୀ ଦଳ, ଜରୁରୀ ଉପକରଣ ଓ ରିଲିଫ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *