ନେମାଳ : ବିଦ୍ୟାଦାତା ତଥା ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପୂଜା ଓ ପରବର୍ତ୍ତୀ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଉଦ୍ଦେଶ୍ୟରେ ଆଜି ନେମାଳ ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନେମାଳ ଥାନା ଅଧିକାରୀ (ଆଇଆଇସି) ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଥାନା ଅଞ୍ଚଳ ଅଧୀନରେ ଥିବା ପ୍ରାୟ ଏକଶହରୁ ଊର୍ଦ୍ଧ୍ୱ ପୂଜା କମିଟି, କ୍ଲବ୍ ତଥା ସାମାଜିକ ଅନୁଷ୍ଠାନର ମୁରବି ଏବଂ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଚଳିତ ବର୍ଷ ଗଣେଶ ପୂଜା ଓ ବିସର୍ଜନ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ଏବଂ ଡିଜେ (DJ) ମୁକ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଉଚ୍ଚ ଡେସିବଲ୍ ବିଶିଷ୍ଟ କାନଫଟା ଡିଜେ ସାଉଣ୍ଡ୍ ଏବଂ ଉତ୍ତେଜକ ଲାଇଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ଏହା ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ପ୍ରାଥମିକତା ଦେବା ସହ ସରକାର ଓ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ଶବ୍ଦ ପ୍ରଦୂଷଣ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୂଜା କମିଟିଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶୋଭାଯାତ୍ରା ସମୟରେ କୌଣସି ପ୍ରକାର ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ଅଶାନ୍ତି ସୃଷ୍ଟି କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଲୋଚନା ସମୟରେ ଆଇଆଇସି ଶ୍ରୀ ମହାପାତ୍ର କହିଥିଲେ ଯେ, ପର୍ବପର୍ବାଣୀ ହେଉଛି ଆମ ସଂସ୍କୃତି, ଭକ୍ତି ଓ ଭାଇଚାରାର ପ୍ରତୀକ। ତେଣୁ ଏହାର ପବିତ୍ରତା ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ। ଭସାଣି ଶୋଭାଯାତ୍ରାର ନିର୍ଦ୍ଦିଷ୍ଟ ରୁଟ୍, ସମୟସୀମା, ଯାନବାହନ ଚଳାଚଳ ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ମେଲୋଡି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂର୍ବରୁ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।
ବୈଠକରେ ଉପସ୍ଥିତ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ତଥା ଅଞ୍ଚଳର ବରିଷ୍ଠ ନାଗରିକମାନେ ପ୍ରଶାସନର ଏହି ନିୟମାବଳୀକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଆଗାମୀ ଦିନରେ ନେମାଳ ପୋଲିସ ସହ ସହଯୋଗ କରି ନିୟମାନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ପୂଜାର୍ଚ୍ଚନା ଏବଂ ଶୃଙ୍ଖଳିତ ଭାବେ ଭସାଣି ଉତ୍ସବ ପାଳନ କରିବେ ବୋଲି ସମସ୍ତ କମିଟି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ବହୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।
