ପୁଅ-ବୋହୂଙ୍କ ନିର୍ଯାତନା ଅସହ୍ୟ: ଘର ଛାଡ଼ିଲେ ବୃଦ୍ଧ ବାପା-ମାଆ

ରାଜ୍ୟ
Spread the love

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ୍ ପିପଳ ମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯେଉଁ ବୟସରେ ପୁଅ-ବୋହୂଙ୍କ ସେବା ଓ ଯତ୍ନର ଆବଶ୍ୟକତା ଥାଏ, ସେହି ବୟସରେ ନିର୍ଯାତନାର ଶିକାର ହୋଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଜଣେ ବୃଦ୍ଧ ଦମ୍ପତି।

ଗ୍ରାମର ବସନ୍ତ କୁମାର ସ୍ୱାଇଁ (୭୫) ଓ ସ୍ତ୍ରୀ ନୟନବାଳା (୭୦) ନିଜ ବଡ଼ ପୁଅ ଶିବ ପ୍ରସାଦ ଓ ବୋହୂ ଅଞ୍ଜଳୀଙ୍କ ସହ ଗାଁରେ ରହୁଥିବା ବେଳେ ସାନପୁଅ ଦେବେନ୍ଦ୍ର କଟକରେ ରହୁଛନ୍ତି। ଅଭିଯୋଗ ଅନୁଯାୟୀ, ଗାଁରେ ରହୁଥିବା ବଡ଼ ପୁଅ ଓ ବୋହୂ ବୃଦ୍ଧ ବାପା-ମାଆଙ୍କୁ କ୍ରମାଗତ ଭାବେ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ।

ଏ ନେଇ ପୂର୍ବରୁ ବସନ୍ତ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ଗ୍ରାମର ଭଦ୍ରବ୍ୟକ୍ତିମାନଙ୍କ ଦ୍ୱାରା ଆପୋଷ ମୀମାଂସା କରାଯାଇଥିଲା। ମାତ୍ର ଏହା ପରେ ମଧ୍ୟ ନିର୍ଯାତନା କମି ନ ଥିଲା। ନିର୍ଯାତନା ଅସହ୍ୟ ହେବାରୁ ଗତ ୨୫ ଦିନ ହେଲା ଦମ୍ପତି ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।

ଶେଷରେ ନ୍ୟାୟ ପାଇଁ ଉଭୟ ବାପା-ମାଆ ଜଗତସିଂହପୁର ଏସ.ଡି.ଏମ. (SDM) କମ୍‌ ବରିଷ୍ଠ ନାଗରିକ ମେଣ୍ଟେନାନ୍ସ ଟ୍ରିବ୍ୟୁନାଲ୍ ଅଦାଲତର ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଛନ୍ତି। ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ଦୁଇ ପୁଅଙ୍କଠାରୁ ଭରଣପୋଷଣ ଖର୍ଚ୍ଚ ଯୋଗାଇଦେବା ସହ ନିଜ ଭିଟାମାଟିକୁ ଫେରି ଶାନ୍ତିପୂର୍ଣ୍ଣ ଭାବେ ରହିବା ପାଇଁ ପୁଲିସ୍ ସୁରକ୍ଷା ଯୋଗାଇଦେବାକୁ ସେମାନେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *