ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ତିନିନମ୍ବରଜୋନ ର ମୁଖ୍ୟବାଣିଜ୍ୟକେନ୍ଦ୍ର, ମୂଳିସିଂହ ପଞ୍ଚାୟତ ର ସହରହାଟ, ଏକ ସାପ୍ତାହିକ ହାଟ । ପ୍ରତି ବୁଧବାର ଓ ଶନିବାର, ଏଇ ଦୁଇଦିନ ଏଠାରେ ହାଟ ବସୁଥିଲେ ମଧ୍ୟ ହାଟର ଚତୁଃପାର୍ଶ୍ୱରେ ଅନେକଗୁଡିଏ ସ୍ଥାୟୀ ଦୋକାନ ରହିଅଛି । ଗତ ଶନିବାର ଦିନ, ହାଟ ଚାଲିଥିବା ବେଳେ, ହଠାତ କାଳବୈଶାଖୀ ପ୍ରଭାବ ରେ କିଛିସମୟ ପାଇଁ ବର୍ଷା ଲାଗିରହିଥିଲା । ଯାହା ଫଳରେ ହାଟ ଚଟାଣ ଉପରେ ପନିପରିବା ପସରା ମେଲାଇ ବସିଥିବା ହାଟୁଆ ମାନଙ୍କ ପନିପରିବା ଗୁଡିକ ବର୍ଷାପାଣି ରେ ଭାସିଯାଇଥିଲା । ହାଟର ପୂର୍ବଭାଗରେ ଯଦିବା ଛଅ ସାତଟି ପିଣ୍ଡି ନିର୍ମାଣ କରାଯାଇଛି, ମାତ୍ର ବିଧିବଦ୍ଧ ଭାବେ ସେଗୁଡିକ କାହାରିକୁ ଯୋଗାଇ ଦିଆଯାଇନାହିଁ । ଅଧିକାଂଶ ଦୋକାନୀ ତଳେ ଚଟାଣ ଉପରେ, ପାଲପକାଇ ବେପାରବଣିଜ କରିଥାନ୍ତି । ତେବେ ହାଟ ଉପରେ ପ୍ରବାହିତ ହେଉଥିବା ବର୍ଷାଜଳ ର ନିଷ୍କାସନ ପାଇଁ ଏଠାରେ ଯେଉଁ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା, ତାହା ମଧ୍ୟ ସଠିକଭାବରେ କାର୍ଯକାରୀ ହୋଇପାରିନି । ତେଣୁ ଅସରାଏ ବର୍ଷାହେଲା ମାତ୍ରେ ହାଟୁଆ ମାନଙ୍କ ସହିତ ହାଟସଉଦା କରିବାକୁ ଆସୁଥିବା ଲୋକମାନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ତିର୍ତ୍ତୋଲବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ଏହି ସହରହାଟର ବାସ୍ତବସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣ ରେ ଦାବୀହେଉଛି ।
