ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗୁରୁବାର ସକାଳେ ଦିଲ୍ଲୀ-ଏନ୍ସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା। ଏୟାରପୋର୍ଟ ରୋଡ୍ର ଦ୍ୱାରକା ଅଣ୍ଡରପାସ୍ ସମେତ ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା।
ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ଗତ ଚାରି ଦିନ ଧରି ବର୍ଷା ଜାରି ରହିଛି। ଗତ ତିନି ଦିନରେ ୨୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନେକ ସହରାଞ୍ଚଳରେ ପାଞ୍ଚ ଫୁଟ୍ ପର୍ଯ୍ୟନ୍ତ ପାଣି ଜମିଛି। ଘର ଓ ହଷ୍ଟେଲରେ ପାଣି ପଶିଯିବାରୁ ବୁଧବାର ପ୍ରାୟ ୨ ହଜାର ଛାତ୍ର ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି। ଏହାସହ ଆଜି ମଧ୍ୟ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଛି।
ଅନ୍ୟପଟେ ବାରାଣସୀରେ ବଢ଼ିଛି ଗଙ୍ଗାର ଜଳସ୍ତର। ଗଙ୍ଗା ନଦୀର ପାଣି ଘାଟଗୁଡ଼ିକ ସହ ୧୦୦ରୁ ଅଧିକ ମନ୍ଦିରରେ ପ୍ରବେଶ କରିଛି। ହରିଶ୍ଚନ୍ଦ୍ର ଘାଟରେ ରାସ୍ତା ଓ ସିଡ଼ି ଉପରେ ଶବଦାହ କରାଯାଉଥିବା ବେଳେ ମଣିକର୍ଣ୍ଣିକା ଘାଟରେ ଛାତ ଉପରେ ଅନ୍ତିମ ସଂସ୍କାର କରାଯାଉଛି।
ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ସତନାରେ ପ୍ରବଳ ବର୍ଷା ପରେ ଚିତ୍ରକୂଟର ଗୁପ୍ତଗୋଦାବରୀରେ ଜଳସ୍ତର ବଢ଼ିଛି। ଡିଣ୍ଡୋରୀରେ ନଦୀ ଓ ଝରଣାଗୁଡ଼ିକ ଫୁଲିଉଠିବାରୁ ୧୨ରୁ ଅଧିକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାନ୍ନାର ମଧ୍ୟ ଅନେକ ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଛି।
